ଅନିଶ୍ଚିତତାରେ କୁଳପତି ଚୟନ : ଏ ସପ୍ତାହରେ ସରୁଛି ଦୁଇ କୁଳପତିଙ୍କ ବର୍ଦ୍ଧିତ କାର୍ଯ୍ୟକାଳ

ଭୁବନେଶ୍ୱର : ରାଜ୍ୟର ୬ଟି ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ଚୟନ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି। ଆସନ୍ତା ଦୁଇ ଦିନ ଭିତରେ ଖଲ୍ଲିକୋଟ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତିଙ୍କ ୩ ମାସିଆ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତେବେ ଏ ପର୍ଯ୍ୟନ୍ତ ନୂତନ କୁଳପତି ଚୟନ ହୋଇପାରି ନାହାନ୍ତି। ଏମିତିକି ଆଜି ପର୍ଯ୍ୟନ୍ତ ସର୍ଚ୍ଚ କମିଟିର ଗୋଟିଏ ବି ବୈଠକ ବସିନି। ତେଣୁ ପରବର୍ତୀ କୁଳପତି ଦାୟିତ୍ବରେ କିଏ ରହିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କେବଳ ଏହି ଦୁଇଟି ବିଶ୍ବବିଦ୍ୟାଳୟ ନୁହେଁ, ବାକି ୪ଟି ବିଶ୍ବବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଛି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉତ୍କଳ ବିଶ୍ବବିଦ୍ୟାଳୟ ସର୍ଚ୍ଚ କମିଟି ଅଧ୍ୟକ୍ଷ ତଥା କୁଳାଧିପତିଙ୍କ ନୋମିନି ଥିବା ଅବସରପ୍ରାପ୍ତ ଆଇଏଏସ୍‌ ସୁବାସ ପାଣି ଶାରୀରିକ ଅସୁସ୍ଥତା ଦର୍ଶାଇ କମିଟିରେ ରହିବାକୁ ଅନାଗ୍ରହ ପ୍ରକାଶ କରିଛନ୍ତି। ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇଏଏସ୍‌ ବିବେକାନନ୍ଦ ପଟ୍ଟନାୟକଙ୍କୁ ସର୍ଚ୍ଚ କମିଟିର ଅଧ୍ୟକ୍ଷ କରାଯାଇଛି। ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ଆବେଦନ କରିଥିବା ଜଣେ ପ୍ରଫେସରଙ୍କ ସମ୍ପର୍କୀୟ ଭାଇ ଚୟନ କମିଟିର ସଦସ୍ୟ ଥିବା ଅଭିଯୋଗ ହେଲାଣି।

କେବଳ ସେତିକି ନୁହେଁ ଆଉ କିଛି ବିଶ୍ବବିଦ୍ୟାଳୟର ସର୍ଚ୍ଚ କମିଟି ସଦସ୍ୟ ସାକ୍ଷାତକାର ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସର୍ଚ୍ଚ କମିଟି ଦ୍ବାରା ହେବାକୁ ଥିବା ସାକ୍ଷାତକାର ପରୀକ୍ଷା ଅଫ୍‌ଲାଇନ୍‌ରେ କରିବା ଲାଗି ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ସର୍ଚ୍ଚ କମିଟିଗୁଡ଼ିକରେ ବୟସାଧିକ ପ୍ରଫେସର, ପ୍ରଶାସନିକ ଅଧିକାରୀ ସଦସ୍ୟ ରହିଛନ୍ତି। ଏଥିସହ ଯେଉଁମାନେ କୁଳପତି ଦୌଡ଼ରେ ସାମିଲ ହୋଇଛନ୍ତି ସେମାନଙ୍କ ବୟସ ୬୦ରୁ ଅଧିକ ହେବ। ତେଣୁ କରୋନା ସଂକ୍ରମଣ ଭୟରେ ଅଧିକାଂଶ ସର୍ଚ୍ଚ କମିଟି ସଦସ୍ୟ ଓ ଆଶାୟୀ ପ୍ରଫେସର ଅନ୍‌ଲାଇନ୍‌ରେ ସାକ୍ଷାତକାର ପରୀକ୍ଷା କରିବାକୁ ପ୍ରସ୍ତାବ ଦେଇଛନ୍ତି।



from ରାଜ୍ୟ – Sambad https://ift.tt/36XlfwG

Post a Comment

0 Comments