ରାଜ୍ୟରେ ଶିଶୁ ନିଖୋଜସ୍ଥିତି ଉଦ୍‌ବେଗଜନକ, ୩ ହଜାରରୁ ଅଧିକ ନାବାଳିକାଙ୍କ ପତ୍ତା ମିଳୁନି

ଭୁବନେଶ୍ବର: ଓଡ଼ିଶାରେ ଶିଶୁ ନିଖୋଜସ୍ଥିତି ଉଦ୍‌ବେଗଜନକ ଅଟେ। ବିଶେଷ କରି ରାଜ୍ୟରେ ଅଧିକ ସଂଖ୍ୟାରେ ନାବାଳିକା ନିଖୋଜ ଅଛନ୍ତି। ୨୦୧୯ ମସିହାର ରେକର୍ଡ ଅନୁସାରେ ନିଖୋଜ ୪୦୧୩ ଶିଶୁଙ୍କ ଭିତରେ ୩୨୫୯ ଜଣ ନାବାଳିକା ରହିଛନ୍ତି। ୨୦୧୯ ସୁଦ୍ଧା ଉଦ୍ଧାର ହୋଇଥିବା ୧୪୯୦ ଜଣଙ୍କ ମଧ୍ୟରୁ ନାବାଳିକା ସଂଖ୍ୟା ୧୧୭୬। ୨୦୧୯ ସୁଦ୍ଧା ଶିଶୁ ନିଖୋଜ ମାମଲାରେ ଓଡିଶା ଦେଶରେ ଚାରି ନମ୍ବରରେ ରହିଛି। ବିହାରରେ ସବାଧିକ ୭୧୯୬, ପଶ୍ଚିମବଙ୍ଗରେ ୫୮୨୨ ଓ ମଧ୍ୟପ୍ରଦେଶରେ ୫୮୦୨ ଶିଶୁ ନିଖୋଜ ଅଛନ୍ତି। ତେଣୁ ବିହାର, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ପଛକୁ ରହିଛି ଓଡ଼ିଶା। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ତଥ୍ୟରୁ ଏହା ସୂଚନା ମିଳିଛି। ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ଲାଗି ଓଡିଶା ପୁଲିସ ପକ୍ଷରୁ ପ୍ରଥମେ ଆରମ୍ଭ ହୋଇଥିଲା ଅପରେସନ୍ ମୁସ୍କାନ। ଏହା ପରେ ଆରମ୍ଭ ହୋଇଥିଲା ଅପରେସନ୍‌ ସ୍ମାଇଲ୍। ଏହି ଦୁଇ ସଂସ୍କରଣ ପରେ ଆରମ୍ଭ ହୋଇଥିଲା ଅପରେସନ ପରୀ। କିନ୍ତୁ ୨୦୧୮ରେ ଅପରେସନ ପରୀର ଭାଗ-୨ ପରେ ଏହି ଯୋଜନାରେ ତାଲା ପଡ଼ିଯାଇଥିଲା।

ପୂର୍ବତନ ଶିଶୁ କଲ୍ୟାଣ କମିଟି(ସିଡବ୍ଲୁସି) ସଦସ୍ୟ ବେଣୁଧର ସେନାପତି କହିଛନ୍ତି ଯେ ଯେତିକି ଶିଶୁ ନିଖୋଜ ହୁଅନ୍ତି, ତା’ଠାରୁ ୟଥେଷ୍ଟ କମ୍ ସଂଖ୍ୟକ ମାମଲା ଥାନାରେ ରୁଜୁ ହୋଇଥାଏ। ତେଣୁ ନିଖୋଜ ଶିଶୁ ସଂଖ୍ୟା ଆହୁରି ଅଧିକ ହେବା ନିଶ୍ଚିତ। କମ୍‌ ମାମଲା ରୁଜୁ ହେବାର କାରଣ ବାବଦରେ ଶ୍ରୀ ସେନାପତିଙ୍କ କହିବା କଥା ପୁଲିସ ଜାଣିଶୁଣି ବହୁ ମାମଲା ରୁଜୁ କରୁନାହିଁ। ଶିଶୁଙ୍କ ନିଖୋଜ ମାମଲାକୁ ଅପହରଣ ଭାବେ ଗ୍ରହଣ କରିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତେଣୁ ଅପହରଣ ମାମଲା କଲେ ପୁଲିସର ଅଡ଼ୁଆ ବଢ଼ିବ ବୋଲି ବିଭିନ୍ନ ବାହାନା କରି ପୁଲିସ କାନ୍ଧ ଖସାଇ ଦେଉଛି। ଗରିବ ବାପାମା ପୁଲିସ କଥାରେ ରାଜି ହୋଇ ମାମଲାକୁ ଆଗକୁ ବଢ଼ାଇବାକୁ ସାହସ ଜୁଟାଇ ପାରୁନାହାନ୍ତି। କିଛି ମାମଲାରେ ପୁଲିସ କଥାରେ ଗରିବ ବାପାମା ଆପୋଷ ବୁଝାମଣା କରି ଦେଉଛନ୍ତି। ବହୁ ନିଖୋଜ ଶିଶୁଙ୍କୁ ବାଳଶ୍ରମିକଭାବେ ନିୟୋଜିତ କରାଯାଉଛି। ଉଦ୍ଧାର ହେବା ପରେ ସେମାନଙ୍କୁ କାଉନସେଲିଂ କରିବା ସମୟରେ ଏହା ଜଣା ପଡ଼ିଥାଏ। ନାବାଳିକାମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯିବା ପରେ ସେମାନଙ୍କୁ ଘରୋଇ କାମ ସହ ଅନୈତିକ କାମରେ ନିୟୋଜିତ କରାଯାଉଛି। ତେବେ ପ୍ରାୟ ୪୦ ପ୍ରତିଶତରୁ ଅଧିକ ନାବାଳିକା ପ୍ରେମ ବ୍ୟାପାରକୁ ନେଇ ନିଖୋଜ ହେବାର ନଜିର୍ ରହିଛି ବୋଲି ଜଣାପଡ଼ିଛି। ଏଭଳି କ୍ଷେତ୍ରରେ ନାବାଳିକାମାନଙ୍କୁ ଫୁସୁଲାଇ ଜାଲରେ ପକାଇ ଦିଆଯାଉଛି ବୋଲି ପ୍ରମାଣ ରହିଛି। କିନ୍ତୁ ସରକାର ନିଖୋଜ ମାମଲାକୁ ଗୁରୁତ୍ବର ସହ ନେଇ ଅପରେସନ୍‌ ମୁସ୍କାନ୍, ସ୍ମାଇଲ୍‌ ଓ ପରୀ ଭଳି ଯୋଜନାକୁ ନିଷ୍ଠାର ସହ କାର୍ଯ୍ୟକାରୀ କଲେ, ବହୁ ଶିଶୁଙ୍କୁ ନର୍କରୁ ମୁକ୍ତି ଦେଇ ହୁଅନ୍ତା ଓ ସେମାନଙ୍କ ଭାଗ୍ୟ ବଦଳି ପାରନ୍ତା ବୋଲି ଶ୍ରୀ ସେନାପତି କହିଛନ୍ତି।



from ରାଜ୍ୟ – Sambad https://ift.tt/2GnKmxR

Post a Comment

0 Comments