୨୭ ସୁଦ୍ଧା ଓଡ଼ିଶାରୁ ଫେରିଯିବ ମୌସୁମୀ

ଭୁବନେଶ୍ୱର : ଦିନକ ପରେ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେବ। ୨୫ ତାରିଖରୁ ସମ୍ବଲପୁର, ଝାରସୁଗୁଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରୁ ପ୍ରଥମେ ଫେରିବ। ଏହାର ଦିନକରୁ ୨ଦିନ ଭିତରେ ସାରା ରାଜ୍ୟରୁ ମୌସୁମୀ ଫେରିଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସେପ୍ଟେମ୍ବର ଶେଷ ସପ୍ତାହରୁ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଓଡ଼ିଶାରୁ ଫେରିବା ପ୍ରକ୍ରିୟା ଏଥର ବିଳମ୍ବ ହୋଇଛି। ସାଧାରଣତଃ ରାଜ୍ୟରୁ ଅକ୍ଟୋବର ୧୦ରୁ ୧୫ ତାରିଖ ଭିତରେ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏହା ୧୦ ଦିନ ବିଳମ୍ବ ହୋଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଓଡ଼ିଶା ଉପକୂଳବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଥିବା‌ ଅବପାତ ବର୍ତ୍ତମାନ ଉତ୍ତର-ଉତ୍ତର ପୂର୍ବ ଆଡ଼କୁ ଗତି କରି ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପକୂଳ ଅତିକ୍ରମ କରିଛି। ଅବପାତ ରୂପରେ ପାଖାପାଖି ୪୫ରୁ ୫୫ କିମି ବେଗରେ ଏହା ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପକୂଳ ଦେଇ ଅତିକ୍ରମ କରିଥିବା ସୂଚନା ମିଳିଛି। ଏହା ଆହୁରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବା ସହ ଆସନ୍ତା ୧୨ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇଯିବ ଓ ବାଂଲାଦେଶ ଉପକୂଳ‌ରେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବ ଆଉ ଓଡ଼ିଶା ଉପରେ ରହିବ ନାହିଁ। ଫଳରେ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ପରିବେଶ ଅନୁକୂଳ ଥିବାରୁ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ‌ମୌସୁମୀ ବାୟୁ ଫେରିଯିବା ଆରମ୍ଭ କରିବ।

ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି, ରାଜ୍ୟରୁ ମୌସୁମୀ ଅପସରିଯିବା ସହ ପାଗ ଶୁଖିଲା ରହିବ। ବାୟୁମଣ୍ଡଳର ଆର୍ଦ୍ରତା ଧୀରେଧୀରେ କମିବା ସହ ତାପମାତ୍ରା ବି ଏବେ ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ କମିବ। ସକାଳୁ ଟିକେ ଟିକେ ଥଣ୍ଡା ଅନୁଭୂତ ହେବ। କିନ୍ତୁ ବି‌ଶେଷ ଥଣ୍ଡା ଅନୁଭୂତ ହେବ ନାହିଁ। ବିଳମ୍ବରେ ଶୀତ ଆସିପାରେ ବୋଲି କହିଛନ୍ତି ଶ୍ରୀ ବିଶ୍ବାସ।

The post ୨୭ ସୁଦ୍ଧା ଓଡ଼ିଶାରୁ ଫେରିଯିବ ମୌସୁମୀ first appeared on Sambad.



from ରାଜ୍ୟ – Sambad https://ift.tt/31DlA3V

Post a Comment

0 Comments