ଚନ୍ଦକା ଶିଳ୍ପାଞ୍ଚଳରେ ବି ଓଟିଭିର ଜମି ଜବରଦଖଲ ଅଭିଯୋଗ

ଭୁବନେଶ୍ବର: ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଓଟିଭି କାର୍ଯ୍ୟାଳୟ ଜମି ମାପଚୁପ କରାଯାଇଛି। କାର୍ଯ୍ୟାଳୟ ଚାରିପାଖରେ ୧୨ ହଜାର ୯୮୦ ବର୍ଗ ଫୁଟ୍‌ ଜମି ଜବରଦଖଲ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଇଡ୍‌କୋ ସମେତ ବିଏମ୍‌ସି, ବିଡିଏ ଓ ଭୁବନେଶ୍ବର ତହସିଲ୍‌ର ଅଧିକାରୀଙ୍କୁ ନେଇ ଗଠିତ ମିଳିତ ଟିମ୍‌ ଆଜି ମାପଚୁପ୍‌ କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ କାର୍ଯ୍ୟାଳୟର କିଛି ଅଂଶ ସରକାରୀ ଜମିରେ ରହିଛି। ଖୁବ୍‌ଶୀଘ୍ର ଏନେଇ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବା ସହ କାର୍ଯ୍ୟାନୁଷ୍ଠା‌ନ ହେବ ବୋଲି ଇଡ୍‌କୋର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଗତ ୨୦ ତାରିଖରେ ଏ ନେଇ ଇଡ୍‌କୋ ପକ୍ଷରୁ ଓଟିଭି କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ୨୨ ତାରିଖରେ ଓଟିଭି କର୍ତ୍ତୃପକ୍ଷ ଏହାର ଉତ୍ତରରେ କହିଥିଲେ ଯେ ସେମାନେ କୌଣସି ଜାଗା ଜବରଦଖଲ କରିନାହାନ୍ତି। ଉତ୍ତରରେ ସନ୍ତୁଷ୍ଟ ନ ହେବାରୁ ଇଡ୍‌କୋ ପକ୍ଷରୁ ଆଜି ଓଟିଭି କାର୍ଯ୍ୟାଳୟ ଥିବା ଜମି ଓ ଏହାର ସଂଲଗ୍ନ ଅଞ୍ଚଳରେ ମାପଚୁପ କରାଯାଇଥିଲା। ଜଣାପଡ଼ିଛି ଯେ ୨୦୦୭ରେ ଇଡ୍‌କୋ ପକ୍ଷରୁ ଓଟିଭିକୁ ଚନ୍ଦକା ଶିଳ୍ପାଞ୍ଚଳରେ ୦.୮୩୫ ଏକର ଜମି ଆଲଟ୍‌ କରାଯାଇଥିଲା। ଏହି ଜମି ଏନ୍/୨୮/୨୯/୩୦ ଓ ୩୧ ନମ୍ବର ପ୍ଲଟ୍‌ରେ ରହିଛି। ତେବେ ଆଲଟ୍ ହୋଇଥିବା ଜମି ବ୍ୟତୀତ ଓଟିଭି ଅଧିକ ୧୨ ହଜାର ୯୮୦ ବର୍ଗଫୁଟ ଜମି ମାଡ଼ି ବସି ତା’ଉପରେ ନିର୍ମାଣ କାର୍ଯ୍ୟ କରିଛି। ଜବରଦଖଲ ଜମି ଉପରେ ଓଟିଭିର ଟେଲିପୋର୍ଟ ଓ ଡିଜି ରହିଛି। ଏଥିସହ ମୂଳ କୋଠାର କିଛି ଅଂଶ ମଧ୍ୟ ଏହି ଜବରଦଖଲକୁ ଜମିକୁ ମାଡ଼ି ଆସିଛି।

The post ଚନ୍ଦକା ଶିଳ୍ପାଞ୍ଚଳରେ ବି ଓଟିଭିର ଜମି ଜବରଦଖଲ ଅଭିଯୋଗ first appeared on Sambad.



from ରାଜ୍ୟ – Sambad https://ift.tt/2HEeoOc

Post a Comment

0 Comments