ପଥରଗଡ଼ରେ ବିଷାକ୍ତ ମଦ ମୃତ୍ୟୁ ଘଟଣା : ମଦରେ ମିଶିଥିଲା ସ୍ପିରିଟ୍

ବନ୍ତଳା : ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ପଥରଗଡ଼ ମଦ ମୃତ୍ୟୁ ଘଟଣାରେ ୪ଟି ମୁଣ୍ଡ ଗଡ଼ିଲା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିବାବେଳେ ଅବକାରୀ ଏବଂ ପୁଲିସ ବିଭାଗର ପ୍ରାଥମିକ ଯୁଗ୍ମ ତଦନ୍ତ ରିପୋର୍ଟ ବିଭାଗକୁ ଦିଆଯାଇଛି ବୋଲି ଅନୁଗୁଳ ଜିଲ୍ଲାପାଳ ସିର୍ଦ୍ଧାର୍ଥ ଶଙ୍କର ସ୍ବାଇଁ ‘ସମ୍ବାଦ’କୁ କହିଛନ୍ତି। ଅପରପକ୍ଷରେ ଆଜି ଏହି ମାମଲାରେ ଅଭିଯୁକ୍ତ ଠିକାଦାର କାଳିଆ ଦେହୁରୀ ସହିତ ୪ ଜଣ ଅଭିଯୁକ୍ତକୁ ପୁରୁଣାକୋଟ ଥାନା ପୁଲିସ ଏବଂ କାଳିଆର ଅନ୍ୟ ଜଣେ ସହଯୋଗୀ ମହିଳା ଗୋଲାପ ସାହୁଙ୍କୁ ଅବକାରୀ ବିଭାଗ ଗିରଫ କରି କୋର୍ଟଚାଲାଣ କରାଯାଇଛି। କାଳିଆ ମଦରେ ସ୍ପିରିଟ୍‌ ମିଶାଇଥିବା ପୁଲିସ ଆଗରେ ସ୍ବୀକାର କରିଥିବାବେଳେ ତା’ର ଏହି ବେଆଇନ କାରବାର ଜିଲ୍ଲାର ବିଭିନ୍ନ ଅଂଚଳକୁ ବ୍ୟାପିଥିବା ଜଣାପଡ଼ିଛି।

ଗତ ଦଶହରା ଦିନ ପୁରୁଣାକୋଟ ଥାନା ଅଧୀନସ୍ଥ ଶରଧାପୁର ପଞ୍ଚାୟତ ପଥରଗଡ଼ ଗାଁରେ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। ଶ୍ରମିକମାନେ ଗ୍ରାମର ସୁବାସ ସାହୁଙ୍କ ଘରର ଛାତ ପକାଇବା ପାଇଁ ଯାଇଥିବାବେଳେ ସେଠାକାର ଠିକାଦାର କାଳିଆ ଦେହୁରୀ କାମ ସରିଲା ପରେ ମହୁଲି ମଦ ପିଇବାକୁ ଦେଇଥିଲା। ଏହି ମଦର ବିଷକ୍ରିୟାରୁ ହିଁ ସେହିଦିନ ରାତିରେ ହଠାତ୍‌ ଦୁଇ ଜଣ ଅନିଲ ପଧାନ(କଇରା)ଓ ଟୁକୁନ ପଧାନଙ୍କର ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଦିନ ସେଟ୍ରିଂ ମିସ୍ତ୍ରି ଶଶିକାନ୍ତ ଦେହୁରୀ ଓ ମଙ୍ଗଳବାର ଦିନ ରୋଷେୟା ପ୍ରମୋଦ ସାହୁଙ୍କ ମୃତ୍ୟୁ ଘଟିଥିଲା। ଏ ସଂକ୍ରାନ୍ତରେ ଅଭିଯୋଗ ମିଳିବା ପରେ ଅନୁଗୁଳ ଜିଲ୍ଲା ପୁଲିସ ତତ୍ପରତା ଦେଖାଇଥିଲା।

ଅନୁଗୁଳ ଏସ୍‌ପି ଜଗମୋହନ ମୀନାଙ୍କ ପରାମର୍ଶକ୍ରମେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ପୁଲିସ ଫେରାର ଠିକାଦାର କାଳିଆ ଦେହୁରୀକୁ ଧରିବାରେ ସକ୍ଷମ ହୋଇଥିଲା। କାଳିଆକୁ ପଚରାଉଚରା ପରେ ଜଣାପଡ଼ିଛି ଯେ, ମହୁଲି ମଦରେ ଅଧିକ ନିଶା କରିବା ପାଇଁ ସ୍ପିରିଟ୍ ମିଶାଯାଇଥିଲା। ମଦରେ ବହୁତ ବେଶୀ ସ୍ପିରିଟ ପରିମାଣ ରହିଥିଲା। କାଳିଆ ନିୟମିତ ମଦ ବେପାର କରୁଥିବା ବେଳେ ସେ ଜରପଡ଼ା ଥାନା ବଡ଼ହିଂସର ଗାଁର ଟୁକୁନା ଦେହୁରୀଠାରୁ ସ୍ପିରିଟ ଓ ଶିଳ୍ପାଂଚଳ ଥାନା ଅଂଚଳର ଝିଣ୍ଟିପାଳ ଗାଁର ରଂଜିତ ସାହୁଠାରୁ ମୁହଲ ଆଣୁଥିଲା। କାଳିଆ ପାଖରେ ମଦ ବ୍ୟବସାୟ ପାଇଁ ଲାଇସେନ୍‌ସ ନଥିବା ସଂକ୍ରାନ୍ତରେ ଜାଣିବା ପରେ ବି ସେମାନେ ଅର୍ଥ ଲୋଭରେ ସ୍ପିରିଟ ଓ ମହୁଲ ଯୋଗାଇ ଦେଉଥିଲେ। ମଦ ରାନ୍ଧିବା ପରେ ତାଳଚେର ଥାନା ଗୋବରା ଗାଁର ଶ୍ରୀକାନ୍ତ ସାହୁ ଜରିଆରେ କାଳିଆ ମଦ ବିକ୍ରି କରୁଥିଲା। ପୁଲିସ କାଳିଆ ସହିତ ତାର ଅନ୍ୟ ୩ ଜଣ ସହଯୋଗୀ ଟୁକୁନା, ରଂଜିତ ଓ ଶ୍ରୀକାନ୍ତକୁ ଆଜି ଗିରଫ କରିଛି। କାଳିଆର ଅନ୍ୟ ଜଣେ ସହଯୋଗୀ ବସନ୍ତ ଦେହୁରୀ ଏବେ ଚିକିତ୍ସାଧୀନ ରହିଛି। ଗିରଫ ୪ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନମିଳିବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

The post ପଥରଗଡ଼ରେ ବିଷାକ୍ତ ମଦ ମୃତ୍ୟୁ ଘଟଣା : ମଦରେ ମିଶିଥିଲା ସ୍ପିରିଟ୍ first appeared on Sambad.



from ରାଜ୍ୟ – Sambad https://ift.tt/2TyDHnk

Post a Comment

0 Comments