କଟକ ନାବାଳିକା ଦୁଷ୍କର୍ମ ଘଟଣା: ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଡିସିପି ଓ ଇନସ୍ପେକ୍ଟରଙ୍କୁ ସାଧୁବାଦ ଜଣାଇଲେ ପୁଲିସ୍ କମିସନର୍

କଟକ: କଟକ ନାବାଳିକା ଦୁଷ୍କର୍ମ ଘଟଣାର୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ପୁଲିସ୍ କମିସନର୍ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କଟକ ଡିସିପି ପ୍ରତୀକ ସିଂହ ଓ ଇନସ୍ପେକ୍ଟର୍ ତାପସ ପ୍ରଧାନଙ୍କୁ ସାଧୁବାଦ ଜଣାଇଛନ୍ତି। ସେ ନିଜର ଟୁଇଟରରେ ଉଭୟଙ୍କୁ ସାଧୁବାଦ ଜଣାଇବା ସହ ଶୀଘ୍ର ତଦନ୍ତ ସାରି ଅଭିଯୋଗ ପତ୍ର ଦାଖଲ କରାଯିବ ଓ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, କଟକ ନାବାଳିକା ଦୁଷ୍କର୍ମ ଘଟଣାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ତଦନ୍ତରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍‌ନାକୁ ଆସିଛି।
ଗତିରାଉତପାଟଣା ଅଞ୍ଚଳରେ ଏକ ଚିକେନ୍ କାଉଣ୍ଟରରେ ୨୨ ଦିନ କାଳ ଦୁଇ ଜଣ ଯୁବକ ଜଣେ ତିର୍ତ୍ତୋଲ ଅଞ୍ଚଳର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ ଖବର ପ୍ରକାଶ ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। କଟକରେ ଏହିଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ପ୍ରଶ୍ନ ଉଠାଇଥିଲେ ବହୁ ବୁଦ୍ଧିଜୀବୀ। ଏହି ଘଟଣା ପରେ ପୁଲିସ୍‌ ପକ୍ଷରୁ ମଧ୍ୟ ତତ୍‌ପରତା ପ୍ରକାଶ ପାଇଥିଲା। ଗତକାଲି ସାଇଣ୍ଟିଫିକ୍ ଟିମ୍‌ ଓ ଚାଉଳିଆଗଞ୍ଜ ପୁଲିସ ଘଟଣାସ୍ଥଳ ଯାଞ୍ଚ କରିବା ସମୟରେ ଚିକେନ୍ କାଉଣ୍ଟର ଭିତରୁ ମଦ ବୋତଲ, କଣ୍ଡମ୍‌, ନିଶା ଇଂଜେକସନ ଜବତ କରାଯାଇଛି।
ତଦନ୍ତ ବେଳେ ଜଣାପଡ଼ିଛି ଯେ, ପାଟଣା ଗ୍ରାମର ଦୁଇ ଅଭିଯୁକ୍ତ ସନ୍ତୋଷ କୁମାର ବେହେରା ଓରଫ ଟିକି ଏବଂ ରାକା ଦିନରେ ରଙ୍ଗ ମିସ୍ତ୍ରୀ କାମ କରୁଥିବାବେଳେ ପ୍ରାୟ ଚାରି ମାସ ପୂର୍ବରୁ ରାସ୍ତାକଡ଼ରେ ଏକ ଚିକେନ୍ କାଉଣ୍ଟର କରିଥିଲେ। କିନ୍ତୁ ଏହି ଚିକେନ୍ କାଉଣ୍ଟରଟି ସନ୍ଧ୍ୟା ପର ଠାରୁ ବନ୍ଦ ହୋଇ ଯାଉଥିଲା। ରାସ୍ତା ପଟକୁ ଚିକେନ କାଉଣ୍ଟର ଥିବାବେଳେ ଏହାର ପଛପଟେ ତାଳଦଣ୍ଡା କେନାଲକୁ ଲାଗି ଗୋଟିଏ ଛୋଟ ଅସ୍ଥାୟୀ ଘର କରାଯାଇଥିଲା। ସନ୍ତୋଷ ଏବଂ ରାକା ବିଭିନ୍ନ ସମୟରେ ଦେହଜୀବୀମାନଙ୍କୁ ଏଠାକୁ ଆଣୁଥିଲେ। ନିର୍ଦ୍ଦିଷ୍ଟ ଗରାଖ ସେଠାକୁ ଆସୁଥିବାବେଳେ ସ୍ଥାନୀୟ କିଛି ଯୁବକଙ୍କୁ ହାତରେ ରଖି ସେମାନେ ରୀତିମତ ବ୍ୟବସାୟ ଚଳାଇ ଆସୁଥିଲେ। ରାକା ଓ ସନ୍ତୋଷଙ୍କ ଗରାଖ ତାଲିକାରେ ଟ୍ରକ୍‌ ଓ ଗାଡ଼ି ଡ୍ରାଇଭର ଏମିତିକି କଲେଜ ପଢୁଥିବା ଛାତ୍ର ବି ଥିବା ପୁଲିସକୁ ସୂଚନା ମିଳିଛି। ବିଳମ୍ବିତ ରାତିରେ ସେହି ଘରେ ଏଭଳି କାରବାର ଚାଲୁଥିବାରୁ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜାଣି ପାରୁନଥିଲେ। ଚାଉଳିଆଗଞ୍ଜ ପୁଲିସ ପ୍ରଥମେ ରାକାକୁ ଧରିଥିବା ‌ବେଳେ ବୁଧବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅନ୍ୟତମ ଅଭିଯୁକ୍ତ ସନ୍ତୋଷକୁ ମଧ୍ୟ ଗିରଫ କରିବାକୁ ସକ୍ଷମ ହୋଇଥିଲା।

The post କଟକ ନାବାଳିକା ଦୁଷ୍କର୍ମ ଘଟଣା: ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଡିସିପି ଓ ଇନସ୍ପେକ୍ଟରଙ୍କୁ ସାଧୁବାଦ ଜଣାଇଲେ ପୁଲିସ୍ କମିସନର୍ first appeared on Sambad.



from ରାଜ୍ୟ – Sambad https://ift.tt/3759Jz9

Post a Comment

0 Comments