ନିଜ ଜମିରେ ଧାନ କାଟି ଚର୍ଚ୍ଚାରେ ଉମରକୋଟ ବିଧାୟକ ଦମ୍ପତି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜ ଜମିରେ ଧାନ କାଟିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ସାଧାରଣତଃ ଦଶହରା ପରେ ଧାନ କଟା ଆରମ୍ଭ ‌ହୋଇଥାଏ। ବିଧାୟକ ଶ୍ରୀ ଗଣ୍ଡ ଏ ସମୟରେ କୃଷି ଶ୍ରମିକଙ୍କ ସହ ମିଶି ନିଜ ଜମିରେ ଧାନ କାଟୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। କେବଳ ବିଧାୟକ ନୁହନ୍ତି; ତାଙ୍କ ଧର୍ମପତ୍ନୀ ତଥା ଶିକ୍ଷୟିତ୍ରୀ ଚଇତି ଗଣ୍ଡ ବି ତାଙ୍କୁ ଧାନ କାଟିବା କାମରେ ସହଯୋଗ କରିଥିଲେ। ବିଧାୟକଙ୍କ ପତ୍ନୀ ଚଢ଼େଇଗୁଡ଼ା ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏବେ କରୋନା ପାଇଁ ସ୍କୁଲ ବନ୍ଦ ଥିବାରୁ ସେ ବି ପତିଙ୍କ କାନ୍ଧରେ କାନ୍ଧ ମିଶାଇ ଧାନ କଟା କାମରେ ଲାଗି ପଡ଼ିଛନ୍ତି।

ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜର ନିଆରା କାର୍ଯ୍ୟଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିଧାୟକ ହୋଇଥିଲେ ବି ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ନିଜ ଚାଷଜମିରେ ସେ କାମ କରିବାରେ ପାଇଥାନ୍ତି ଆନନ୍ଦ। ଚାଷୀ ପରିବାରର ହୋଇଥିବାରୁ ତାଙ୍କର ମୂଳରୁ ଚାଷ କାର୍ଯ୍ୟ ପ୍ରତି ଦୁର୍ବଳତା ରହିଆସିଛି। ସେ ବିଧାୟକ ହୋଇଥିଲେ ବି ପ୍ରଥମେ ଜଣେ ଚାଷୀ ବୋଲି କହିଛନ୍ତି ଶ୍ରୀ ଗଣ୍ଡ। ପୁରୁଷ ପୁରୁଷ ଧରି ସମଗ୍ର ଅଞ୍ଚଳରେ ଚାଷୀ ପରିବାର ଭାବେ ତାଙ୍କ ପରିବାରର ଖ୍ୟାତି ରହିଛି। ତେଣୁ ଯେତେବେ‌ଳେ ବି ସମୟ ମିଳୁଛି ଚାଷ କାମରେ ନିଜକୁ ନିୟୋଜିତ କରିଥାନ୍ତି ସେ। ଆଗରୁ ଜମିରେ ଅଧିକ ସମୟ ଦେଇ ପାରୁଥିଲେ କିନ୍ତୁ ବିଧାୟକ ହେବା ପରେ ଦାୟିତ୍ଵ ବଢ଼ି ଯାଇଥିବାରୁ ଜମିରେ ଚାଷ କାର୍ଯ୍ୟରେ ଅଧିକ ସମୟ ଦେଇ ପାରୁନଥିବା କହିଛନ୍ତି ଶ୍ରୀ ଗଣ୍ଡ। ସେହିପରି ତାଙ୍କ ପତ୍ନୀ ବି ଚାଷୀ ଘରର ଝିଅ । ସେ ପୂର୍ବରୁ ଜମିରେ ଚାଷ କାମ କରୁଥିଲେ ବୋଲି କହିବା ସହ ଯୁବ ସମାଜକୁ ଚାଷ କାର୍ଯ୍ୟ କରି ଦେଶର ପ୍ରଗତିରେ ସହାୟ ହେବାକୁ ପରାମର୍ଶ ଦେଇଛନ୍ତି।

ପ୍ରକାଶ ଥାଉକି ପୂର୍ବରୁ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଜ ଜମିରେ ଧାନ ରୋଇ ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲେ। ବିଧାୟକ ଶ୍ରୀ ରନ୍ଧାରୀଙ୍କ କାର୍ଯ୍ୟକୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ବି ପ୍ରଶଂସା କରିଥିଲେ।

The post ନିଜ ଜମିରେ ଧାନ କାଟି ଚର୍ଚ୍ଚାରେ ଉମରକୋଟ ବିଧାୟକ ଦମ୍ପତି first appeared on Sambad.



from ରାଜ୍ୟ – Sambad https://ift.tt/3kDpD7L

Post a Comment

0 Comments