
ଫୁଲବାଣୀ : କନ୍ଧମାଳରେ କରୋନା ଗ୍ରାଫ୍ କେତେବେଳେ ଉପର ତ କେତେବେଳେ ତଳ ହୋଇ ଗତି କରୁଛି। ଅଧିକ ସମୟ ଏହା ଉପରେ ରହିଥିବା ବେଳେ କମ୍ ସମୟ ଏହା ତଳ ମୁହାଁ ହୋଇଛି। ତେବେ, ଦୀର୍ଘ ୫ ମାସ ପରେ କରୋନା ଦେଇଛି ବଡ଼ ଆଶ୍ବସ୍ତି। ଆଜି କନ୍ଧମାଳରେ ମାତ୍ର ୭ ଜଣ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୩ ମାସ ପରେ ଫୁଲବାଣୀ ସହରବାସୀଙ୍କୁ ମଧ୍ୟ ଏକରକମ ଆଶ୍ବସ୍ତି ମିଳିଛି। କାହିଁକିନା, ଆଜି ଫୁଲବାଣୀ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିଛି।
କରୋନା ଗ୍ରାଫ୍ ବହୁ ତଳକୁ ଆସିବା ମନକୁ ଆଶ୍ବାସନା ଦେଇଛି ସତ, ହେଲେ ଆଗାମୀ ୩ ମାସ ପାଇଁ ଜିଲ୍ଲାବାସୀ ସତର୍କ ରହିବା ଜରୁରୀ ହୋଇ ପଡ଼ିଛି। ନଭେମ୍ବର, ଡିସେମ୍ବର ଓ ଜାନୁଆରିରେ କନ୍ଧମାଳରେ ପ୍ରବଳ ଶୀତ ଲହରୀ ଚାଲିବ। ଶୀତ ଋତୁରେ କରୋନା ଭୟଙ୍କର ରୂପ ଧାରଣ କରିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବରୁ ସତର୍କ କରାଇ ଦେଲେଣି। ଏଣୁ, କନ୍ଧମାଳବାସୀଙ୍କ ପାଇଁ ଆଗାମୀ ୩ ମାସ ସତର୍କ ନରହିଲେ ବଡ଼ ବିପତ୍ତି ଭାବେ ଠିଆ ହୋଇପାରେ। ସେତେବେଳେ ଏହାର ମୁକାବିଲା କରିବା ଏକ ଚ୍ୟାଲେଞ୍ଜ୍ ହେବ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଆଜି ନୂଆ ସଂକ୍ରମିତଙ୍କ ମଧ୍ୟରୁ ରାଇକିଆରୁ ୩, ବାଲିଗୁଡ଼ା, ଦାରିଙ୍ଗବାଡ଼ି ଓ ଘୁ.ଉଦୟଗିରିରୁ ଜଣେ ଲେଖାଏଁ ରହିଛନ୍ତି। ନୂଆ ୭ଙ୍କୁ ମିଶାଇ କନ୍ଧମାଳରେ ସଂକ୍ରମିତଙ୍କ ସଂଖ୍ୟା ୫,୫୭୪ରେ ପହଞ୍ଚିଥିବା ବେଳେ ସେଥିରୁ ୫,୩୩୬ ଜଣ ସୁସ୍ଥ ହେଲେଣି। ତେବେ, କରୋନାରେ ଆଜି ସୁଦ୍ଧା ୨୯ ଜଣଙ୍କ ମୃତ୍ୟୁ ହୋଇଥିବାରୁ ଆଗାମୀ ଦିନରେ ଯେଭଳି ଆଉ ମୃତ୍ୟୁ ସଂଖ୍ୟା ନ ବଢ଼େ ସେଥିପ୍ରତି ଉଭୟ ଜନତା ଓ ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।
The post ୫ ମାସ ପରେ ଆଶ୍ୱସ୍ତି : ସଂକ୍ରମିତଙ୍କ ସଂଖ୍ୟା ୭କୁ ଖସିଲା, କନ୍ଧମାଳବାସୀଙ୍କୁ ଆଗାମୀ ୩ ମାସ ସତର୍କ ଘଣ୍ଟି first appeared on Sambad.
from ରାଜ୍ୟ – Sambad https://ift.tt/3mtKWJN
0 Comments