ଆସ ଋଣ କରିବା, ସୁଧ ଗଣିବା!

ଭୁବନେଶ୍ୱର, (ଗଣେଶ ନାୟକ): କରଜ କରି ମଉଜ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରାଗ୍‌ଐତିହାସିକ ଯୁଗରୁ ପ୍ରଚଳିତ ‘ଋଣଂ କୃତ୍ୱା ଘୃତଂ ପିବେତ୍‌’ ଭଳି ସମାଲୋଚନାମୂଳକ ଋଢ଼ି ଆଉ ବହୁଳ ବ୍ୟବହୃତ ହୋଇ ରହି ନାହିଁ, ବରଂ ଏହାର ସ୍ଥାନ ନେଇଛି ଆମ ସରକାରଙ୍କ ତଥାକଥିତ ବିଚାରବନ୍ତ ତଥା ଦକ୍ଷ ଆର୍ଥିକ ପରିଚାଳନାର ନୂଆ ପରିଭାଷା ‘ଧନ ଥାଇ ଋଣ, ଅଧିକ ସୁଧ ଗଣ’। ସଦ୍ୟ ସମାପ୍ତ ବିଧାନସଭା ଅଧିବେଶନରେ ଉପସ୍ଥାପିତ ସିଏଜି ରିପୋର୍ଟରେ ସରକାରଙ୍କ ତୃଟିପୂର୍ଣ୍ଣ ଆର୍ଥିକ ପରିଚାଳନାର ଏହି ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ୨୦୧୫–୧୬ରୁ ରାଜ୍ୟର ଋଣ ଭାର ବର୍ଷକୁ ହାରାହାରି ୧୯%ରୁ ଅଧିକ ହାରରେ ବୃଦ୍ଧି ପାଇ ୨୦୧୯ ମାର୍ଚ୍ଚ ୩୧ ବେଳକୁ ୧ ଲକ୍ଷ ୮ ହଜାର ୨୫୮ କୋଟି ଟଙ୍କାରେ ପହଞ୍ଚିଥିଲା। ସେଥିରେ ଆଭ୍ୟନ୍ତରୀଣ ଋଣ ପରିମାଣ ଥିଲା ୫୦ ହଜାର ୪୨୧ କୋଟି। ତନ୍ମଧ୍ୟରେ ଖୋଲା ବଜାରରୁ ୨୮ ହଜାର ୩୧ କୋଟି ଓ ଅନ୍ୟାନ୍ୟ ଅର୍ଥ ଲଗାଣକାରୀ ସଂସ୍ଥାରୁ ୧୩ ହଜାର ୧୦୬ କୋଟି ଟଙ୍କା; ଯାହା ଉଚ୍ଚ ସୁଧ ହାରଭିତ୍ତିକ। ସରକାର ୭.୫୫%ରୁ ୮.୭୯% ସୁଧ ହାରରେ ଏହି ୪୧ ହଜାର ୧୩୭ କୋଟି ଟଙ୍କା ଋଣ କରିଥିଲେ। ଅଥଚ ସେହି ୪ ବର୍ଷରେ ବିଭିନ୍ନ ଟ୍ରେଜେରୀରେ ଯଥାକ୍ରମେ ୧୨,୦୪୭.୬୮ କୋଟି, ୧୪,୬୦୧.୧୧ କୋଟି, ୩୦,୪୮୪.୧୧ କୋଟି ଓ ୩୮୧୩୪.୪୮ କୋଟି ଟଙ୍କା ନଗଦ ଜମା ଥିଲା। ସେହିପରି ରଜର୍ଭ ବ୍ୟାଙ୍କରେ ରାଜ୍ୟର ସର୍ବନିମ୍ନ ଜମା ୧ କୋଟି ୨୮ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ସେଠାରେ ଅଯଥାରେ ୧୬୨୪ କୋଟି ୫୬ ଲକ୍ଷ ଟଙ୍କା ଅଯଥାରେ ପଡ଼ି ରହିଥିଲା। ହାତରେ ଥିବା ଅର୍ଥକୁ ବିନିଯୋଗ ନକରି ସରକାର ନୂଆ ଋଣ କରିବାକୁ ଅଗ୍ରସର ହୋଇଥିଲେ; ଯାହା ଅର୍ଥ କମିସନ୍‌ଙ୍କ ସୁପାରିସ୍‌ର ପରିପନ୍ଥୀ। ଆର୍ଥିକ ଶୃଙ୍ଖଳା ରକ୍ଷା ନିମନ୍ତେ ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ ହୋଇଥିବା ତ୍ରୟୋଦଶ ଅର୍ଥ କମିସନ୍‌ଙ୍କ ସୁପାରିସ୍‌ରେ ସ୍ପଷ୍ଟ କଟକଣା ଥିଲା ଯେ ରାଜକୋଷରେ ଗଚ୍ଛିତ ନଗଦ ଜମାର ବିନିଯୋଗ ପୂର୍ବରୁ ସରକାର ନୂଆ ଋଣ କରିବାକୁ ଆଦୌ ଚିନ୍ତା କରିବା ଅନୁଚିତ। ତେଣୁ ମୂଳ ବଜେଟ୍‌ରେ ନିର୍ଦ୍ଦେଶିତ ବିଭାଗ ଦ୍ୱାରା କେତେ ଖର୍ଚ୍ଚ ହୋଇଛି ଓ ସେଥିରୁ ବର୍ଷ ଶେଷକୁ କେତେ ବଳିବ ତାହାର ସବିଶେଷ ହିସାବ ଆର୍ଥିକ ବର୍ଷ ଶେଷ ହେବାର ମାସେ ପୂର୍ବରୁ ଅର୍ଥାତ୍‌ ପ୍ରତି ବର୍ଷ ଫେବ୍ରୁଆରି ୨୬ ସୁଦ୍ଧା ଦାଖଲ କରିବାକୁ ବୈଧାନିକ ନିର୍ଦ୍ଦେଶ ରହିଛି। ଏହାକୁ ସମୀକ୍ଷା କରି ନୂଆ ବଜେଟ୍‌ରେ କେଉଁ ବିଭାଗରେ କେତେ ଅର୍ଥ ପୁନଃବିନିଯୋଗ ହେବ ଏବଂ ଅଗ୍ରାଧିକାର କାର୍ଯ୍ୟକ୍ରମ ପାଇଁ କେତେ ଋଣ ଆବଶ୍ୟକ– ସେ ସଂକ୍ରାନ୍ତରେ ଅର୍ଥ ବିଭାଗ ନିଷ୍ପତ୍ତି ନେଇ ବଜେଟ୍‌ ପ୍ରସ୍ତତ କରିବା ବିଧି ରହିଛି।

ଆର୍ଥିକ ବିଶୃଙ୍ଖଳାର ଆଉ ଏକ ଦିଗକୁ ମଧ୍ୟ ସିଏଜି ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ତାହା ହେଲା– ଖର୍ଚ୍ଚ ନ ହୋଇ ବଳି ପଡୁଥିବା ଅର୍ଥକୁ ପ୍ରଶାସନିକ ବିଭାଗ ଆର୍ଥିକ ବର୍ଷ ଶେଷ ପୂର୍ବରୁ ଫେରସ୍ତ (ସରେଣ୍ଡର) କରିବା ବିଧି ଥିଲେ ମଧ୍ୟ ତାହା ହେଉ ନାହିଁ, ବରଂ ବଳକା ଅର୍ଥର ସିଂହଭାଗକୁ ନିର୍ବାହୀ ମୁଖ୍ୟମାନେ ବ୍ୟକ୍ତିଗତ ଜମା ଖାତା (ପିଡ଼ି ଆକାଉଣ୍ଟ)ରେ ବେଆଇନ୍‌ ଭାବେ ରଖୁଛନ୍ତି। ୨୦୧୯ ମାର୍ଚ୍ଚ ଶେଷରେ ପିଡ଼ି ଆକାଉଣ୍ଟରେ ୧୭,୫୦୩ କୋଟି ୫୦ ଲକ୍ଷ ଟଙ୍କା ଜମା ଥିବା ସିଏଜିଙ୍କ ସମୀକ୍ଷା ବେଳେ ଧରାପଡ଼ିଛି। ସମୀକ୍ଷାରୁ ପ୍ରକାଶ ଯେ ୨୦୧୯ ମାର୍ଚ୍ଚ ୩୧ ବେଳକୁ ସରକାରଙ୍କ ହାତରେ ଥିବା ନଗଦ ଜମା ମଧ୍ୟରୁ ୨୬ ହଜାର ୯୮ କୋଟି ଟଙ୍କାରୁ ଟଙ୍କାଟିଏ ବି ସୁଧ ମିଳୁ ନଥିଲା। ସେହିପରି ପିଡ଼ି ଆକାଉଣ୍ଟ ଜମା ୧୭, ୫୦୩ କୋଟି ଟଙ୍କାରୁ ସୁଧ ଆହରଣ ହାରାହାରି ୫%ରେ ସୀମିତ। ହାତରେ ଥିବା ଏହି ଟଙ୍କାର ବିନିଯୋଗକୁ ଅଗ୍ରାଧିକାର ନଦେଇ ସରକାର ସେ ବର୍ଷ ୬.୯୪%ରୁ ୮.୨୪% ସୁଧ ହାରରେ ଖୋଲା ବଜାର ଋଣ କରିଥିଲେ। ଏହି କାରଣରୁ ୨୦୧୮–୧୯ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟର ଋଣ ଭାର ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇବା ସହ ସୁଧ ଓ ଋଣ ପରିଶୋଧ ଦେୟ ୩୭ ହଜାର କୋଟିକୁ ଟପିଥିଲା। ଏହା ସତ୍ତ୍ବେ ଦକ୍ଷ ଆର୍ଥିକ ପରିଚାଳନାର ଦ୍ୱାହି ଦେଉଥିବା ଆମ ବିଚାରବନ୍ତ ଅମଲାତନ୍ତ୍ର ଏହି କଟକଣାକୁ ଭ୍ରୁକ୍ଷେପ ନକରି ଉଚ୍ଚ ସୁଧଭିତ୍ତିକ ଋଣ କରିବାକୁ ପ୍ରତି ବର୍ଷ ଖସଡ଼ା ପ୍ରସ୍ତତ କରୁଥିବା ବେଳେ ରାଜ୍ୟ ସରକାର ତାହାକୁ ଆଖିବୁଜା ଅନୁମୋଦନ କରି ଚାଲିଛନ୍ତି।

The post ଆସ ଋଣ କରିବା, ସୁଧ ଗଣିବା! first appeared on Sambad.



from ରାଜ୍ୟ – Sambad https://ift.tt/3j3t3z9

Post a Comment

0 Comments