ମଶିଣାଗୁଡାରେ ନଣନ୍ଦ ଓ ଭାଉଜଙ୍କୁ ହତ୍ୟା ମାମଲା, ହତ୍ୟାକାରୀ ଦମ୍ପତି ଆଜୀବନ କାରାଦଣ୍ଡରେ ଦଣ୍ଡିତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଦୌରା ଜଜ୍‌ ଅରବିନ୍ଦ ଗୁରୁ କଣ୍ଟାମାଲ ଥାନା ଅଞ୍ଚଳ ମଶିଣାଗୁଡା ଗାଁରେ ୨୦୧୦ ମସିହାର ହୋଇଥିବା ଏକ ଚାଞ୍ଚଲ୍ୟକର ଡବଲ୍‌ ମର୍ଡର ମାମଲାର ଶୁଣାଣି କରି ହତ୍ୟାକାରୀ ସ୍ବାମୀ ସତ୍ୟନାରାୟଣ କଲତା(୪୦) ଓ ସ୍ତ୍ରୀ ଠୁସ କଲତା(୩୮)ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କାର ଜରିମାନା ନିର୍ଦେଶ ଦେଇଛନ୍ତି।

୧୦ବର୍ଷ ତଳର ବିଚାରାଧୀନ ଏହି ମାମଲାରେ ନିଜ ସ୍ତ୍ରୀ କର୍ପର କର୍ମୀ ଓ ଭଉଣୀ ଅଞ୍ଜନା କର୍ମୀଙ୍କୁ ହରାଇଥିବା ଅଭିଯୋଗକାରୀ ମଶିଣାଗୁଡା ଗାଁର ବିପିନ କର୍ମୀଙ୍କୁ ଶେଷରେ ନ୍ୟାୟ ମିଳିଛି। ଏକ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଅଭିଯୁକ୍ତ ସ୍ବାମୀ ସ୍ତ୍ରୀ ଦ୍ବୟ ଏକ ବଡ଼ ଅପରାଧକୁ ଭିଆଇଥିବା ନେଇ କଣ୍ଟାମାଲ ପୁଲିସ୍‌ ରେକର୍ଡରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ,  ୨୦୧୦ ମସିହା ଡିସେମ୍ବର ୫ତାରିଖରେ ଅଭିଯୋଗକାରୀ ବିପିନଙ୍କ ପୁଅ ତପନ(୪) ଖେଳୁଥିବା ବେଳେ ବିଲେଇକୁ ଛୋଟ ପଥରଟିଏ ମାରିଥିଲେ। ପଥରଟି ଭୁଲରେ ଅଭିଯୁକ୍ତ ସତ୍ୟନାରାୟଣ କଲତାଙ୍କ ଘରେ ପଡ଼ିଥିଲା। ଏହି ଛୋଟ ଘଟଣାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀ ବିପିନ କର୍ମୀଙ୍କ ଘରେ ପହଞ୍ଚି ଝଗଡ଼ା କରିଥିଲେ। ପରେ ଉତ୍ତ୍ୟକ୍ତ ହୋଇ ଏକ ଲୁହା ମାଡିକୁଡ଼ାରେ ବିପିନଙ୍କ ଭଉଣୀ ଅଞ୍ଜନା କର୍ମୀ ଓ ସ୍ତ୍ରୀ କର୍ପୁର କର୍ମୀଙ୍କୁ ନୃଂଶସ ଭାବେ ହାଣିଥିଲେ।

ଗୁରୁତର ଆହତ ନଣନ୍ଦ ଭାଉଜଙ୍କୁ ପ୍ରଥମେ କଣ୍ଟାମାଲ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଅଞ୍ଜନାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। କର୍ପରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ବୁର୍ଲା ମେଡ଼ିକାଲ ସ୍ଥାନାନ୍ତର କରିଥିଲେ। ସେଠାରେ ସଂପୂର୍ଣ୍ଣ ସୁସ୍ଥ ନ ହେବାରୁ ତାଙ୍କୁ ଘରକୁ ଅଣାଯାଇଥିଲା। ପ୍ରାୟ ମାସକ ପରେ ଘ‌ରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ଏସଂକ୍ରାନ୍ତରେ ବିପିନ କଣ୍ଟାମାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ କେସ୍‌ ନଂ ୭୬/୨୦୧୦ ଏକ ମାମଲା ରୁଜୁ କରିଥିଲା। ଦଫା ୩୦୨/୩୦୭/୩୪ ଆଇପିସିରେ ହତ୍ୟାକାରୀ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

The post ମଶିଣାଗୁଡାରେ ନଣନ୍ଦ ଓ ଭାଉଜଙ୍କୁ ହତ୍ୟା ମାମଲା, ହତ୍ୟାକାରୀ ଦମ୍ପତି ଆଜୀବନ କାରାଦଣ୍ଡରେ ଦଣ୍ଡିତ first appeared on Sambad.



from ରାଜ୍ୟ – Sambad https://ift.tt/3jolEul

Post a Comment

0 Comments