
ରାଜ୍ୟର ୧୭୫୦ ସିଟ୍ରେ ହେବ ନାମଲେଖା
କଟ୍ ଅଫ୍ ମାର୍କ ଉପରେ ସମସ୍ତଙ୍କ ନଜର
ଭୁବନେଶ୍ୱର : ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ନିଟ୍(ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ) ପରୀକ୍ଷା ଫଳ ୩ ଦିନ ହେଲା ବାହାରିଲାଣି। ତା’ ପରେ ବି କେବେଠାରୁ ନାମଲେଖା ଲାଗି କାଉନସେଲିଂ ଆରମ୍ଭ ହେବ, ସେନେଇ କୌଣସି ସୂଚନା ଦିଆଯାଉ ନାହିଁ। ଅଲ୍ ଇଣ୍ଡିଆ କୋଟା(ଏଆଇକ୍ୟୁ)ରେ କାଉନସେଲିଂ କରିବାକୁ ଥିବା ମେଡିକାଲ କାଉନସେଲିଂ କମିଟି(ଏମ୍ସିସି) ଏପର୍ଯ୍ୟନ୍ତ ତାରିଖ ଘୋଷଣା କରି ନ ଥିବାରୁ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିଛନ୍ତି। ଏଆଇକ୍ୟୁରେ କେବେ ନାମଲେଖା ଆରମ୍ଭ ହେବ? ରାଜ୍ୟର ସରକାରୀ ଓ ଘରୋଇ ମେଡିକାଲ କଲେଜରେ ନାମଲେଖା ଲାଗି କେବେ ବିଜ୍ଞପ୍ତି ପ୍ରକାଶ ପାଇବ? କାଉନସେଲିଂ କେବେଠାରୁ ହେବ? କଟ୍ ଅଫ୍ ମାର୍କ ତାଲିକା କେବେ ବାହାରିବ? ରୢାଙ୍କ ଅନୁଯାୟୀ ଏମ୍ବିବିଏସ୍ରେ ସିଟ୍ ମିଳିବ କି ନାହିଁ? ତାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି।
ସବୁଠାରୁ ବଡ଼ କଥା ହେଲା, ଏଥର ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଉନ୍ନତ ରହିଛି। ୨୦ହଜାର ୬୦୦ ଛାତ୍ରଛାତ୍ରୀ ପାସ୍ କରିବା ସହ ରୢାଙ୍କ ହାତେଇଛନ୍ତି। ତେବେ ସମସ୍ତ ପିଲାଙ୍କୁ ଯେ ମେଡିକାଲ ପଢ଼ିବା ଲାଗି ସିଟ୍ ମିଳିବ, ତାହା ଭାବିବା ଭୁଲ୍। କାରଣ ସାରା ଦେଶରେ ମାତ୍ର ୧ ଲକ୍ଷ ୮ଲକ୍ଷ ଏମ୍ବିବିଏସ୍ ଓ ବିଡିଏସ୍ ସିଟ୍ ଥିବା ବେଳେ ୭ ଲକ୍ଷରୁ ଅଧିକ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ତେଣୁ ସମସ୍ତଙ୍କୁ ସିଟ୍ ମିଳିବ ନାହିଁ। ହିସାବ ଦେଖିଲେ ପ୍ରତି ୭ ଜଣରେ ଜଣେ କୃତୀ ଛାତ୍ରଛାତ୍ରୀ ମେଡିକାଲ କଲେଜରେ ସିଟ୍ ପାଇବେ। ଯେଉଁମାନଙ୍କ ରୢାଙ୍କ ଭଲ ରହିଛି, ସେମାନଙ୍କୁ ସିଟ୍ ମିଳିବା ଏକପ୍ରକାର ଥୟ। ଅର୍ଥାତ୍ ଏକ ଲକ୍ଷ ରୢାଙ୍କ ମଧ୍ୟରେ ଥିବା ଛାତ୍ରଛାତ୍ରୀ ସିଟ୍ ପାଇବାର ସମ୍ଭାବନା ରହିଛି। ତେବେ ସରକରୀ କଲେଜରେ ସିଟ୍ ମିଳିବା କଷ୍ଟକର। କାରଣ ସରକାରୀ କଲେଜରେ ମାତ୍ର ୪୦ ହଜାର ଏମ୍ବିବିଏସ୍ ଓ ବିଡିଏସ୍ ସିଟ୍ ରହିଛି।
ଯଦି ଓଡ଼ିଶା କଥା ବିଚାରକୁ ନିଆଯାଏ, ଚଳିତବର୍ଷ ରାଜ୍ୟର ୧୭୫୦ ଏମ୍ବିବିଏସ୍ ଓ ବିଡିଏସ୍ ସିଟ୍ରେ ନାମଲେଖା ହେବ। କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ, ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ, ଆଇଏମ୍ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲର ୨୫୦ ଲେଖାଏଁ ଏମ୍ବିବିଏସ୍ ସିଟ୍ରେ ନାମଲେଖା କରାଯିବ। ଏହାବ୍ୟତୀତ ବୁର୍ଲାସ୍ଥିତ ଭିଏସ୍ଏସ୍ରେ ୨୦୦, କିମ୍ସ୍ ମେଡିକାଲ କଲେଜର ୧୫୦, ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରର ୧୨୫ ଲେଖାଏଁ, ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ, ବାଲେଶ୍ବରସ୍ଥିତ ଫକୀରମୋହନ ମେଡିକାଲ କଲେଜ, ହାଇଟେକ୍ ରାଉରକେଲାର ୧୦୦, ହାଇଟେକ୍ ଭୁବନେଶ୍ବରର ୧୦୦ ଲେଖାଏଁ ସିଟ୍ରେ ନାମଲେଖା କରାଯିବ। ଏହାବ୍ୟତୀତ ଏମ୍ସିବିର ୫୦ ବିଡିଏସ୍ ସିଟ୍ ସମେତ ସମ୍, କିମ୍ସ ଓ ହାଇଟେକ୍ ଭୁବନେଶ୍ବରର ୧୦୦ ଲେଖାଏଁ ବିଡିଏସ୍ ସିଟ୍ରେ ନାମଲେଖା ହେବ। ରାଜ୍ୟରେ ମୋଟ ୧୭୫୦ ସିଟ୍ ଥିବା ବେଳେ ୨୦ ହଜାର ୬୦୦ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆଶାୟୀ ରହିଛନ୍ତି। ସେଥିମଧ୍ୟରୁ ପ୍ରତି କଲେଜର ୧୫% ସିଟ୍ ଏଆଇକ୍ୟୁରେ ପୂରଣ କରାଯିବ। ତେଣୁ ୮୫% ସିଟ୍ ପାଇଁ ରାଜ୍ୟ ସରକାର କାଉନସେଲିଂ କରିବେ ବୋଲି ସୂଚନା ମିଳିଛି।
ପ୍ରତିଥର ପରି ଏଥର ମଧ୍ୟ ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଓଜେଇଇ କାଉନସେଲିଂ କରିବାର ସମ୍ଭାବନା ରହିଛି। ତେବେ ଏପର୍ଯ୍ୟନ୍ତ ରାଜ୍ୟ ରୢାଙ୍କ ତାଲିକା ଆସି ନ ଥିବା ଓଜେଇଇ କର୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥର ନିଟ୍ ପରୀକ୍ଷାରେ ଛାତ୍ରଛାତ୍ରୀ ଭଲ ମାର୍କ ରଖିଥିବାରୁ କଟ୍ ଅଫ୍ ମାର୍କ ବଢ଼ିବାର ସମ୍ଭାବନା ରହିଛି। ଗତଥର ଓଡ଼ିଶାର ସରକାରୀ ମେଡିକାଲ କଲେଜରେ ପଢ଼ିବା ଲାଗି କଟ୍ ଅଫ୍ ମାର୍କ ୫୩୨ ନମ୍ବର ଥିଲା। ଏଥର ଆହୁରି ବଢ଼ିବ ବୋଲି ଶିକ୍ଷାବିତ୍ମାନେ ଅନୁମାନ କରୁଛନ୍ତି। ଏମିତିକି ୫୬୦ ଉପରେ ମାର୍କ ରଖିଥିବା ଛାତ୍ରଛାତ୍ରୀ ହିଁ ସରକାରୀ ମେଡିକାଲ କଲେଜରେ ପଢ଼ିବା ଲାଗି ଯୋଗ୍ୟତା ଅର୍ଜନ କରିପାରନ୍ତି। ତେବେ ରାଜ୍ୟ ରୢାଙ୍କ ତାଲିକା ଆସିବା ପରେ ଚିତ୍ର ସ୍ପଷ୍ଟ ହେବ।
The post ମେଡିକାଲ କାଉନ୍ସେଲିଂ କେବେ? ଚିନ୍ତାରେ ଛାତ୍ରଛାତ୍ରୀ, ତାରିଖ କହୁନି ଏମ୍ସିସି first appeared on Sambad.
from ରାଜ୍ୟ – Sambad https://ift.tt/2TbRHTT
0 Comments