
ବିଶ୍ୱବିଦ୍ୟାଳୟ ପାଇଁ ଦକ୍ଷ ଶିକ୍ଷକ, ଉତ୍ତରଦାୟୀ ବ୍ୟବସ୍ଥା କରିବା ଲକ୍ଷ୍ୟ: ମନ୍ତ୍ରୀ
ଆଇନ ତିଆରି କରିଛି ବିଧାନସଭା, ସଂଶୋଧନ କ୍ଷମତା ବି ଗୃହର: ଅମର
ଚୋର ଖୋଜିଥାଏ ଅନ୍ଧାର ରାତି : ନରସିଂହ
ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ଆଇନ ବିଭାଗ ବାରମ୍ବାର ମନା କରିଛି। କିନ୍ତୁ ନୂଆ ଫାଇଲ ଖୋଲି ସରକାର ଜବରଦସ୍ତି ଆଇନ୍ରେ ସଂଶୋଧନ କରିବାକୁ ବିଲ୍ ଆଣିଛନ୍ତି। ୧୧୨ ବିଧାୟକ ଥାଇ ଶାସକଦଳ ବିଧାନସଭାକୁ ସାମନା କରିବାକୁ ଭୟ କରୁଛି। ଆଜି ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ବିଲ୍-୨୦୨୦ ଆଲୋଚନାରେ ଭାଗ ନେଇ ସରକାରଙ୍କୁ ଏପରି ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ୨୦୧୬ ମସିହାରୁ ଉଚ୍ଚଶିକ୍ଷା ବିଭାଗର ଫାଇଲଟି କେତେଥର ଆଇନ ବିଭାଗଠୁ ଆରମ୍ଭ କରି ସାଧାରଣ ପ୍ରଶାସନ ବିଭାଗ ପର୍ଯ୍ୟନ୍ତ ବୁଲିଛି ତାର ଗୋଟି ଗୋଟି ପ୍ରମାଣ ସହ ଗୃହରେ ଶ୍ରୀ ମିଶ୍ର ତଥ୍ୟ ରଖିଛନ୍ତି। ଅନ୍ୟପଟେ ଏହି ଆଇନ ସଂଶୋଧନ କରିବା କ୍ଷମତା ବିଧାନସଭାର ନାହିଁ ବୋଲି ପୂର୍ବରୁ ଶ୍ରୀ ମିଶ୍ର ଦେଇଥିବା ଟିପ୍ପଣୀ ଉପରେ ଗୃହରେ ଜବାବ ରଖିଥିଲେ ଶାସକ ଦଳ ସଭ୍ୟ ଅମର ପ୍ରସାଦ ଶତପଥୀ। ବିଲ୍ର ଉଦ୍ଦେଶ୍ୟ ସମ୍ପର୍କରେ ସଂକ୍ଷିପ୍ତ ବିବୃତି ରଖି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ସଂଶୋଧନ କରି ବିଶ୍ବବିଦ୍ୟାଳୟ ସ୍ତରରେ ସଂସ୍କାର ଆଣିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଆଇନ୍ରେ ସଂଶୋଧନ ହେଲେ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ବାରା ଗୁଣାତ୍ମକ ଶିକ୍ଷକ ନିଯୁକ୍ତି ହେବେ। କୁଳପତି ଚୟନ ପ୍ରକ୍ରିୟା ଅଧିକ ସ୍ବଚ୍ଛ ହେବ। ଅଣଶିକ୍ଷକ ନିଯୁକ୍ତି କର୍ମଚାରୀ ଚୟନ ସଂସ୍ଥା ଦ୍ବାରା କରାଯିବ। ଆଳଙ୍କରିକ ସିନେଟ୍ ବ୍ୟବସ୍ଥା ରହିବନାହିଁ। ଫଳରେ ବିଶ୍ବବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ଅଧିକ ଉତ୍ତରଦାୟୀ କରାଯାଇପାରିବ। ତେବେ ଗୃହରେ ବିଲ୍ ଉପରେ ଆଲୋଚନା ଅସମାପ୍ତ ରହିଛି।
ଆଲୋଚନା ଆରମ୍ଭ କରି ଶାସକ ଦଳ ସଭ୍ୟ ଶ୍ରୀ ଶତପଥୀ କହିଥିଲେ, ଏହି ସଂଶୋଧନ ବିଲ୍ ଆଗତବେଳେ ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ଏହାକୁ ବିରୋଧ କରିଥିଲେ। କହିଥିଲେ, ଏପରି ଆଇନ ସଂଶୋଧନ କରିବା ପାଇଁ ବିଧାନସଭାର କ୍ଷମତା ନାହିଁ। ଯେଉଁ ବିଧାନସଭା ୧୯୮୯ ମସିହାରେ ବିଶ୍ବବିଦ୍ୟାଳୟ ଆଇନ କରିଥିଲା। ସେହି ବିଧାନସଭାର ଏହି ଆଇନକୁ ସଂଶୋଧନ କରିବାର କ୍ଷମତା ନାହିଁ ବୋଲି କହିବା ବୁଝିହେଉନାହିଁ। ରାଜ୍ୟ ଓ କେନ୍ଦ୍ର ଅଧିକାର ସମ୍ପର୍କରେ ସାମ୍ବିଧାନର ଯୁଗ୍ମ ତାଲିକା ଏଣ୍ଟ୍ରି ନମ୍ବର ୨୫ ଉଭୟ ସରକାରଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା କରିବାକୁ କ୍ଷମତା ପ୍ରଦାନ କରିଛି। ଏହାସହିତ କେନ୍ଦ୍ର ତାଲିକାରେ ଥିବା ବିଷୟ ସଂଖ୍ୟା ୬୩, ୬୪, ୬୫ ଓ ୬୬ ସହିତ ଏହି ସଂଶୋଧନର କୌଣସି ସମ୍ପର୍କ ନାହିଁ। ଆଇନ୍ରେ ସଂଶୋଧନ ହେବା ପରେ କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷ ପରିବର୍ତ୍ତେ ୪ ବର୍ଷ ହେବ। ସେହିପରି କୁଳପତିମାନଙ୍କ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ କରିବାକୁ ସରକାର ଯୋଜନା ରଖି ବିଲ୍ରେ ବ୍ୟବସ୍ଥା କରିଛନ୍ତି। ଏହାଦ୍ବାରା ବିଶ୍ବବିଦ୍ୟାଳୟର କୌଣସି କ୍ଷମତା ସଂକୁଚିତ ହେବ ନାହିଁ ବୋଲି ଶ୍ରୀ ଶତପଥୀ କହିଥିଲେ।
କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ୨୦୧୬ ମସିହାରୁ ଉଚ୍ଚଶିକ୍ଷା ବିଭାଗ ବିଶ୍ବବିଦ୍ୟାଳୟ ଆଇନ୍ ୧୯୮୯ ସଂଶୋଧନ ପାଇଁ ଆଇନ ବିଭାଗକୁ ଭେଟିଂ ପାଇଁ ଏକାଧିକ ଥର ପଠାଇଛି। ସବୁଥରକ ଆଇନ ବିଭାଗ କଡ଼ା ଟିପ୍ପଣୀ ଦେଇ ଫେରେଇ ଦେଇଛି। ଏପରିକି ଆଇନ ବିଭାଗ ଦେଇଥିବା ଟିପ୍ପଣୀ ମୂଳ ଫାଇଲରୁ ଗାଏବ ହୋଇଯିବା ଘଟଣା ମଧ୍ୟ ଉଲ୍ଲେଖ କରାଯାଇଛି। ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ କରିବା ପାଇଁ ସରକାର ସେହି ଫାଇଲଟି ୨୦୧୮ ମସିହା ପର୍ଯ୍ୟନ୍ତ ବିଭିନ୍ନ ବିଭାଗକୁ ଘୂରି ବୁଲିଥିଲା। ଶେଷରେ ଅନ୍ୟ ଉପାୟ ନ ପାଇ ୨୦୧୯ ମସିହାରେ ପୁରୁଣା ଫାଇଲ ବଦଳରେ ଆଉ ଗୋଟିଏ ନୂଆ ଫାଇଲ ପ୍ରସ୍ତୁତ କଲେ। ନୂଆ ଫାଇଲରେ ଆଇନ ବିଭାଗ ମୂଳ ଫାଇଲରେ ଦେଇଥିବା କଡ଼ା ଟିପ୍ପଣୀସବୁ କିଛି ରଖାଗଲାନାହିଁ। ଯାହାକୁ ଆଧାର କରି କ୍ୟାବିନେଟ୍ ଅନୁମୋଦନ ନିଆଯାଇ ତରବରିଆ ଭାବେ ଅଧ୍ୟାଦେଶ ଜାରି କରାଯାଇଛି। ଏବେ ତରବରିଆ ଭାବେ ବିଲ୍କୁ ପାରିତ କରିବାକୁ ଉଦ୍ୟମ କରାଯାଉଛି। କାହିଁକି ଏପରି? ଖାଲିସେତିକି ନୁହେଁ ଯଦି ସରକାରଙ୍କ ଏହି ଆଇନ ସଂଶୋଧନ କରିବାର ଥିଲା ତାହେଲେ ୨୦୧୯ ଗଲା ବିଲ୍ ଆଣିଲେନି। ୨୦୨୦ ଆରମ୍ଭରେ ବି ଆଣିପାରିଥାନ୍ତେ। କରୋନା ମହାମାରୀ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟ କରିଛି। ମହାମାରୀ ନିୟନ୍ତ୍ରଣ ପାଇଁ ଯାହା ଯାହା ଆଇନଗତ ବ୍ୟବସ୍ଥା ଦରକାର ସେଥିରେ ବିରୋଧୀ ସରକାରଙ୍କୁ ସମର୍ଥନ କରିଆସିଛନ୍ତି। ଏବେ ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ ଅଧ୍ୟାଦେଶର କରୋନା ମହାମାରୀ ସହିତ କଣ ସମ୍ପର୍କ ରହିଛି। କଣ ଏହି ସଂଶୋଧନ ବିଲ୍ ପାରିତ ହୋଇଗଲେ କରୋନା ମହାମାରୀ ରାଜ୍ୟରୁ ପଳେଇବ। ବିଧାନସଭା ମୌସୁମୀ ଅଧିବେଶନ ବସିବାକୁ ଯେତେବେଳେ ଅଳ୍ପଦିନ ବାକି ଅଛି ସେତିକିବେଳେ ତରବରିଆ ଭାବେ ଅଧ୍ୟାଦେଶ ଆଣି ତାକୁ ଆଇନରେ ପରିଣତ କରିବାକୁ ବିଲ୍ ଅଣାଯାଇଛି। ଏହା ପଛରେ ଗୋଟିଏ ବିରାଟ ବଡ଼ ଷଡ଼ଯନ୍ତ୍ର ଥିବା ଜଣାପଡ଼ୁଛି। ଚୋର ଚୋରି କରିବାକୁ ଅନ୍ଧାର ରାତି ଖୋଜିବା ଭଳି ଏହି ଅଧିବେଶନରେ ପାରିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। କାରଣ ଏହି ବିଲ୍ ଶିକ୍ଷାବିତମାନଙ୍କ ମନରେ ଏତେ ସନ୍ଦେହ ସୃଷ୍ଟି କରିଛି ସରକାରଙ୍କ ପାଖରେ ଉତ୍ତର ନାହିଁ। ଯେଉଁ ପଣ୍ଡିତମାନେ ଏହି ବିଲ୍ ପ୍ରସ୍ତୁତ କରିଛନ୍ତି, ସେମାନେ ବୋଧହୁଏ ଭାବିଥିଲେ ବିଧାୟକମାନେ ଭାରି ବିଜ୍ଞ ଓ ପଣ୍ଡିତ। ବିଲ୍କୁ ଦେଖୁ ଦେଖୁ ସବୁ ବୁଝିଯିବେ ଓ ୩ ଘଣ୍ଟା ଭିତରେ ବିଲ ପାରିତ ହୋଇଯିବ। କିମ୍ବା ବିଧାୟକମାନେ ଏକଦମ୍ ଅଜ୍ଞ ଯାହା ସେମାନଙ୍କ ଆଗରେ ରଖିଲେ ବି କିଛି ଜାଣିପାରିବେନି ହଁ ଭରିଦେବେ। ଏଭଳି ବିଲ୍ ପ୍ରସ୍ତୁତକାରୀଙ୍କୁ କୋଟି କୋଟି ପ୍ରଣାମ। ଶ୍ରୀ ମିଶ୍ର ଏତିକି କହିବା ପରେ ବିଧାନସଭାକୁ ଆସନ୍ତା ଶନିବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ବାଚସ୍ପତି ମୁଲତବି ରଖିଥିଲେ।
from ରାଜ୍ୟ – Sambad https://ift.tt/2EP3pQC
0 Comments