ମାସ୍କ ଦୁର୍ନୀତି ନେଇ ସରକାରଙ୍କୁ ଘେରିଲେ ସୂଚନା ଅଧିକାର କର୍ମୀ : ‘ତଥ୍ୟ ଲୁଚାଇବାକୁ ବାହାନା ଚାଲିଛି’

ବଲାଙ୍ଗୀର : କରୋନା କାଳରେ ମହାଦୁର୍ନୀତି। ଆଉ ଦୁର୍ନୀତି ଲୁଚାଇବାକୁ ଏବେ ଚାଲିଛି ଅପଚେଷ୍ଟା। ରାଜ୍ୟ ସରକାର କିଣିଥିବା ମାସ୍କ ଓ ପିପିଇ କିଟ୍‌ ସଂପର୍କରେ ତଥ୍ୟ ମଗାଗଲେ ତାହା ଲୁଚାଇବାକୁ ବାହାନା କରି ସମୟ ଗଡ଼ା ଚାଲିଛି। ଏଭଳି ଅଭିଯୋଗ ଆଣିଛନ୍ତି ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା।

ଶ୍ରୀ ପଣ୍ଡା କହିଛନ୍ତି, କରୋନା ମୁକାବିଲା ପାଇଁ କୋଟି କୋଟି ଟଙ୍କାର ମାସ୍କ ଏବଂ ପିପିଇ କିଟ୍ ରାଜ୍ୟ ସରକାର କିଣିଛନ୍ତି। ରାଜ୍ୟ ସରକାର କଣିଥିବା ମାସ୍କ ଓ ପିପିଇ କିଟ୍‌ର ଦର ଏବଂ ସମୁଦାୟ ଖର୍ଚ୍ଚ ସମ୍ବନ୍ଧୀୟ ସବିଶେଷ ତଥ୍ୟ ରାଜ୍ୟ ଔଷଧ ନିଗମକୁ ସୂଚନା ଅଧିକାର ଆଇନ ବଳରେ ଗତ ମଇ ମାସରେ ସେ ତଥ୍ୟ ମାଗିଥିଲେ। ରାଜ୍ୟ ଔଷଧ ନିଗମ କରୋନାଜନିତ ଜରୁରୀ ପରିସ୍ଥିତି ଯୋଗୁଁ ତଥ୍ୟ ଦେବା ପାଇଁ ନିର୍ଦ୍ଧାରିତ ସମୟଠାରୁ ଅଧିକ ଏକ ମାସ ସମୟ ଲାଗିବ ବୋଲି ପଣ୍ଡାଙ୍କୁ ଜଣାଇଥିଲେ। କିନ୍ତୁ ଏହି ସମୟ ଅବଧି ମଧ୍ୟ ଶେଷ ହେଲା ପରେ ତଥ୍ୟ ପ୍ରଦାନ ପାଇଁ ପୁଣି ଅଧିକ ଏକ ମାସ ଲାଗିବ ବୋଲି ଔଷଧ ନିଗମ ପକ୍ଷରୁ ସୂଚନା ଅଧିକାର କର୍ମୀ ପଣ୍ଡାଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଥିଲା। ଶେଷରେ ଔଷଧ ନିଗମ ଚିଠି ନଂ ୧୧୭୯୪/ ଓଏସଏମସିଏଲ/ ତା. ୧୪.୯.୨୦ ଯୋଗେ ଜଣାଇଛନ୍ତି ଯେ, ଏହି ବିଷୟ ମାନ୍ୟବର ହାଇକୋର୍ଟରେ ବିଚାରାଧୀନ ଥିବା ଯୋଗୁଁ ଏ ସମ୍ପର୍କରେ ତଥ୍ୟ ଦିଅଯିବ ନାହିଁ। କିନ୍ତୁ ଏ ସମ୍ପର୍କରେ ମାନ୍ୟବର ହାଇକୋର୍ଟ ତଥ୍ୟକୁ ସାର୍ବଜନୀନ କରିବା ପାଇଁ ବାରଣ କରି ନାହାନ୍ତି। ହାଇକୋର୍ଟ ଯେଉଁ ତଥ୍ୟକୁ ପ୍ରଘଟ କରିବା ପାଇଁ ନିର୍ଦ୍ଦିଷ୍ଟ ଭାବରେ ନିର୍ଦ୍ଦେଶ ଦେଇଥିବେ ସେହି ତଥ୍ୟକୁ ସାର୍ବଜନୀନ କରାଯାଇପାରିବ ନାହିଁ ଏବଂ ଏ କ୍ଷେତ୍ରରେ ଏଭଳି ନିର୍ଦ୍ଦେଶ ହାଇକୋର୍ଟ ଦେଇ ନ ଥିବା ଶ୍ରୀ ପଣ୍ଡା କହିଛନ୍ତି। ରାଜ୍ୟ ଔଷଧ ନିଗମ କେବଳ ତଥ୍ୟକୁ ସାର୍ବଜନୀନ ନକରି ଲୁଚାଇଦେବା ପାଇଁ ଏଭଳି ବାହାନା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ତଥ୍ୟ ପ୍ରଦାନ ପାଇଁ ବିଳମ୍ବ କରି ଦୁର୍ନୀତିକୁ ଚପାଇଦେବା ପାଇଁ ଉଦ୍ୟମ କରାଯାଉଥିବା ସେ ଆଶଙ୍କା କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହାକୁ ନେଇ ବଡ଼ ଦୁର୍ନୀତି ହୋଇଥିବା କଥା ରାଜ୍ୟର ବିରୋଧୀ ଦଳମାନେ ବହୁଦିନରୁ ଅଭିଯୋଗ କରିଆସୁଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି।



from ରାଜ୍ୟ – Sambad https://ift.tt/2Sel2wx

Post a Comment

0 Comments