
ଭୁବନେଶ୍ୱର : ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜିଠାରୁ ନାମାଙ୍କନ ପତ୍ର ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହିତ ଉପନିର୍ବାଚନ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଥିଲେ ଯେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହେଉଛି ୧୬ ତାରିଖ। ୧୭ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ, ୧୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ ଧାର୍ଯ୍ୟ ହୋଇଛି। ନଭେମ୍ବର ୩ ତାରିଖ ଦିନ ଭୋଟ ଗ୍ରହଣ କରାଯିବ ଓ ନଭେମ୍ବର ୧୦ ତାରିଖ ଭୋଟଗଣତି ହେବ। ନଭେମ୍ବର ୧୨ ତାରିଖ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।
ସେ କହିଛନ୍ତି, କୋଭିଡ୍-୧୯ ମହାମାରୀ ସମୟରେ ନିର୍ବାଚନ ପରିଚାଳନା କରିବା ଆମ ପାଇଁ ଏକ ଆହ୍ୱାନ। ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରାର୍ଥୀଙ୍କ ସହ ସର୍ବାଧିକ ଦୁଇଜଣ ବ୍ୟକ୍ତି ଯାଇପାରିବେ ଏବଂ ଦୁଇଗୋଟି ଗାଡ଼ି ବ୍ୟବହାର କରିପାରିବେ। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ଏକ ବଡ଼ ହଲ୍ରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା କରି ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ୮୦ ବର୍ଷରୁ ଅଧିକ ବୟସ୍କ ଭୋଟର, କୋଭିଡ୍ ଆକ୍ରାନ୍ତ ଏବଂ ସନ୍ଦିଗ୍ଧ କୋଭିଡ୍ ଭୋଟରମାନେ ଚାହିଁଲେ ପୋଷ୍ଟାଲ୍ ବାଲାଟ୍ ମାଧ୍ୟମରେ ଭୋଟ ଦେଇପାରିବେ।
ସେହିପରି କୋଭିଡ୍-୧୯ ପରିପ୍ରେକ୍ଷୀରେ ନିର୍ବାଚନୀ ସଭା ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଏକ ନିର୍ବିବାଦୀୟ ପ୍ରସସ୍ଥ ଏବଂ ବଡ଼ ସ୍ଥାନ ନିରୂପଣ କରାଯାଇ ସେଠାରେ ସର୍ବାଧିକ ୧୦୦ ଜଣ ଲୋକଙ୍କୁ ନେଇ ସାମାଜିକ ଦୂରତ୍ୱ ସହ ନିର୍ବାଚନୀ ସଭା କରାଯିବ। କୋଭିଡ୍ ଦୃଷ୍ଟିରୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ପ୍ରତି ବୁଥ୍ରେ ସର୍ବାଧିକ ୧୦୦୦ ଭୋଟର ଭୋଟ ଦେଇପାରିବେ। ଫଳରେ ବୁଥ୍ ସଂଖ୍ୟା ବୃଦ୍ଧି ପାଇବା ସହ ଶୀଘ୍ର ମତଦାନ ସରିବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ କାର୍ଯ୍ୟ ଚାଲୁରହିବ। ମତଦାନ ବେଳେ ସମସ୍ତ ଭୋଟର ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଓ ପ୍ରଶାସନ ତରଫରୁ ସବୁ ଭୋଟରଙ୍କୁ ଗ୍ଲୋବସ୍ ଯୋଗାଇ ଦିଆଯିବ। ଭୋଟ ଗ୍ରହଣ ସମୟରେ କୌଣସି ବ୍ୟକ୍ତିଙ୍କଠାରେ ଯଦି କୋଭିଡ୍ ଲକ୍ଷଣ ପ୍ରକାଶ ପାଏ, ତା’ହେଲେ ସଂପୃକ୍ତ ଭୋଟରଙ୍କୁ ଭୋଟ ଗ୍ରହଣର ଶେଷ ପର୍ଯ୍ୟାୟରେ ମତଦାନ କରିବାକୁ ସୁଯୋଗ ଦିଆଯିବ ବୋଲି ଶ୍ରୀ ଲୋହାନୀ କହିଛନ୍ତି।
from ରାଜ୍ୟ – Sambad https://ift.tt/34FeQDn
0 Comments