ଜୟଦେବ ପୁରସ୍କାର ରାଶି ୨ଲକ୍ଷକୁ ବୃଦ୍ଧି

ଭୁବନେଶ୍ବର : ଚଳଚ୍ଚିତ୍ର ନିମନ୍ତେ ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ରାଶି ୨ଲକ୍ଷକୁ ବୃଦ୍ଧି ପାଇଛି। ପୂର୍ବରୁ ପୁରସ୍କାର ବାବଦରେ ୧ଲକ୍ଷ ଟଙ୍କା ଦିଆଯାଉଥିବା ବେଳେ ଏହାକୁ ବୃଦ୍ଧି କରାଯାଇଛି। ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମି ପ୍ରଦତ୍ତ ଅତିବଡ଼ୀ ପୁରସ୍କାର, ଓଡ଼ିଶା ସଂଗୀତ ନାଟକ ଏକାଡେମି ପ୍ରଦତ୍ତ ଉପେନ୍ଦ୍ର ଭଂଜ ସମ୍ମାନ ଏବଂ ଓଡ଼ିଶା ଲଳିତ କଳା ଏକାଡେମି ପ୍ରଦତ୍ତ ଧର୍ମପଦ ପୁରସ୍କାର ରାଶି ୧ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି ପାଇଥିଲା। ଏହା ବ୍ୟତୀତ ଏକାଡେମି ପୁରସ୍କାର ରାଶି ମଧ୍ୟ ବୃଦ୍ଧି ପାଇଥିଲା।

ଏକାଡେମିର ସର୍ବୋଚ୍ଚ ସମ୍ମାନ ରାଶି ବୃଦ୍ଧି ପାଇବା ପରେ ଜୟଦେବ ପୁରସ୍କାର ରାଶି ବୃଦ୍ଧି ପାଇଁ କିଛି ସାଂସ୍କୃତିକ ସଂଗଠନ ସ୍ବର ଉଠାଇଥ‌ିଲେ। ସଂସ୍କୃତି ବିଭାଗ ନିକଟରେ ଏନେଇ ଦାବି କରାଯିବା ପରେ ଏ ସମ୍ପର୍କରେ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଆଜି ମୁଖ୍ୟମନ୍ତ୍ରୀ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଯଦିଓ ୩ ଏକାଡେମିର ସର୍ବୋଚ୍ଚ ପୁରସ୍କାର ବ୍ୟତୀତ ଅନ୍ୟ ପୁରସ୍କାର ରାଶି ମଧ୍ୟ ୫୦ ହଜାରରୁ ବଢ଼ି ୨ଲକ୍ଷ ହୋଇଛି କିନ୍ତୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ଅନ୍ୟ ବିଭାଗଗୁଡ଼ିକର ପୁରସ୍କାର ରାଶି ବୃଦ୍ଧି ପାଇନାହିଁ।

ଓଡ଼ିଶା ସିନେ କ୍ରିଟିକ୍ ଆସୋସିଏସନ୍‌ର ସ୍ବାଗତ
୩ ଏକାଡେମିର ପୁରସ୍କାର ରାଶି ବୃଦ୍ଧି ପାଇବା ପରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ରାଶି ବୃଦ୍ଧି ନିମନ୍ତେ ଓଡ଼ିଶା ସିନେ କ୍ରିଟିକ୍ ଆ ସୋସିଏସନ୍‌ ପକ୍ଷରୁ ଦାବି କରାଯାଇଥିଲା। ପୁରସ୍କାର ରାଶି ୧ଲକ୍ଷରୁ ବୃଦ୍ଧି ପାଇ ୨ ଲକ୍ଷ ହେବା ପରେ ଆସୋସିଏସନ୍‌ ସଭାପତି ପ୍ରଦୋଷ ପଟ୍ଟନାୟକ ଓ ସମ୍ପାଦକ ଦିଲ୍ଲୀପ ହାଲି ସ୍ବାଗତ କରିଛନ୍ତି।

The post ଜୟଦେବ ପୁରସ୍କାର ରାଶି ୨ଲକ୍ଷକୁ ବୃଦ୍ଧି first appeared on Sambad.



from ରାଜ୍ୟ – Sambad https://ift.tt/34XY3vF

Post a Comment

0 Comments