ବିଦ୍ୟୁତ ଦରବୃଦ୍ଧି ଅପରିଣାମଦର୍ଶୀ ଓ ଅମାନବୀୟ: କଂଗ୍ରେସ

ଭୁବନେଶ୍ବର : ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଦ୍ବାରା ଆସନ୍ତା ମାସରୁ ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତିକୁ ସମାଲୋଚନା କରିଛି କଂଗ୍ରେସ। ଦଳୀୟ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ବିଦ୍ୟୁତ ଦରବୃଦ୍ଧି ସମ୍ପୂର୍ଣ୍ଣ ଭାବେ ଅପରିଣାମଦର୍ଶୀ ଓ ଅମାନବୀୟ। ରାଜ୍ୟର ସବୁବର୍ଗର ଉପଭୋକ୍ତା ଏହି ଅଯୁକ୍ତିକର ଦରବୃଦ୍ଧି ବିରୋଧରେ ସ୍ବର ଉଠାଇବାକୁ ସେ ଅନୁରୋଧ କରିଛନ୍ତି। ଶ୍ରୀ କାନୁନଗୋ କହିଛନ୍ତି, କରୋନା ମହାମାରୀ ସମୟରେ ଦୀର୍ଘଦିନ ଧରି ଜୀବନ ଜୀବିକା ପାଇଁ ଲଢ଼େଇ କରୁଥିବା ଲୋକଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧି ଏକ ଶକ୍ତ ଆଘାତ ଆଣିଛି। ସମସ୍ତ ଦୋକାନୀ, କ୍ଷୁଦ୍ର ଓ ମଧ୍ୟମ ଧରଣର କଳକାରଖାନା ଏପର୍ଯ୍ୟନ୍ତ ଅଣ୍ଟାସଳଖି ପାରିନାହାନ୍ତି। ସେହି ସମୟରେ ଓଇଆରସିଙ୍କ ଦର ବୃଦ୍ଧି ନିଷ୍ପତ୍ତି ଆଦୌ ଠିକ୍‌ ହୋଇନି। ଅନ୍ୟପଟେ ସରକାର ମଧ୍ୟ ଏହାକୁ ମନା କରିନାହାନ୍ତି। କ୍ରସ୍‌ ସବ୍‌ସିଡିକୁ ହିସାବକୁ ନେଲେ ୟୁନିଟ୍‌ ପିଛା ୭ ଟଙ୍କାରୁ ୮ ଟଙ୍କା ପାଖାପାଖି ହୋଇଛି। ଯେଉଁ ସମୟରେ ରାଜ୍ୟର ବିଦ୍ୟୁତ ଖର୍ଚ୍ଚର ୨୨% ଜଳ ବିଦ୍ୟୁତରୁ ଆସୁଛି ଓ ୧୦% ସୋଲାର ଏନର୍ଜି ବା ସୌରଶକ୍ତିରୁ ଆସୁଛି ସେଥିରେ ଥର୍ମାଲ୍‌ ବିଦ୍ୟୁତ ଉତ୍ପାଦନକୁ ମିଶାଇଲେ ୟୁନିଟ୍‌ ପିଛା ୨ ଟଙ୍କା ୮୦ ପଇସାରୁ ଅଧିକ ହେବ ନାହିଁ। ଉତ୍ପାଦନ ଖର୍ଚ୍ଚ ଏତେ କମ ଥିଲାବେଳେ ବିକ୍ରି ଖର୍ଚ୍ଚକୁ କାହିଁକି ବୃଦ୍ଧି କରାଯାଇଛି ତା ବୁଝିହେଉନାହିଁ। ବିଦ୍ୟୁତ ବଣ୍ଟନ କମ୍ପାନି ଓ ସରକାରଙ୍କ ଉପରେ ହଜାର ହଜାର କୋଟି ଟଙ୍କା ବକେୟା ରହିଛି। ଏ ଟଙ୍କା ଆଦାୟ ନ କରି ଉପଭୋକ୍ତାଙ୍କ ଉପରେ ଆର୍ଥିକ ବୋଝ ଲଦିବାର କାରଣ କଣ ସେ ସମ୍ପର୍କରେ ଓଇଆରସି ଓ ସରକାର ସ୍ପଷ୍ଟୀକରଣ ଦେବାକୁ ଶ୍ରୀ କାନୁନଗୋ ଦାବି କରିଛନ୍ତି।



from ରାଜ୍ୟ – Sambad https://ift.tt/361dNQw

Post a Comment

0 Comments