ବାଘ, ହାତୀଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ଓଡ଼ିଶାକୁ ମିଳିଛି ୩୬ କୋଟି

ଭୁବନେଶ୍ୱର : ବାଘ, ହାତୀଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ୩୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି। ବାଘ ଓ ହାତୀ ପ୍ରକଳ୍ପ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ ବାବଦରେ ଏହି ଟଙ୍କା ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହି ଆର୍ଥିକ ସହାୟତା ପାଇଁ ଶ୍ରୀ ପ୍ରଧାନ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ‌ଯେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ୨୦୧୯-୨୧ ମଧ୍ୟରେ ବାଘ ପ୍ରକଳ୍ପରେ ଓଡ଼ିଶାକୁ ୨୬.୮୭ କୋଟି ଟଙ୍କା ମିଳିଛି। ସେଥି ମଧ୍ୟରୁ ସାତକୋଶିଆ ଅଭୟାରଣ୍ୟ ପାଇଁ ୧୧.୧୯ କୋଟି ଓ ଓ ଶିମିଳିପାଳ ବାଘ ଅଭୟାରଣ୍ୟ ଲାଗି ୧୫.୬୮ କୋଟି ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ବାଘକୁ ନିଜ ପ୍ରାକୃତିକ ବାସସ୍ଥାନରେ ରହିବା ପାଇଁ ନିଶ୍ଚିନ୍ତ କରିଛି। ଏହି ପ୍ରୟାସରେ ଓଡ଼ିଶାକୁ ହାତୀ ପ୍ରକଳ୍ପ ଅଧୀନରେ ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୯.୬୮ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି। ହାତୀଙ୍କ ସଂରକ୍ଷଣ, ସେମାନଙ୍କ ସୁରକ୍ଷା, ହାତୀ ବାସସ୍ଥାନ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କ ସହନଶୀଳତା ପାଇଁ ଏହି ଅର୍ଥ ଯୋଗାଇ ଦିଆଯାଇଛି।

www.tigerfdn.com

ବନ୍ୟଜନ୍ତୁ ସଂରକ୍ଷଣ ଓ ସ୍ଥାୟୀ ପରିବେଶ ସୃଷ୍ଟି କରିବା ଦିଗରେ କେନ୍ଦ୍ର ସରକାରଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ଭାରତରେ ବାଘ, ହାତୀଙ୍କ ଭଳି ବିଲୁପ୍ତ ପ୍ରଜାତିର ପ୍ରାଣୀଙ୍କ ପୁନଃରୁଦ୍ଧାର କରିବାରେ ସହାୟକ ହୋଇଛି। ‘ସବୁଜ ଅର୍ଥନୀତି’ ପାଇଁ ମଧ୍ୟ ପଥପ୍ରଦର୍ଶକ ସାଜିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯଥା ଜଙ୍ଗଲ ବୃଦ୍ଧି, ବୃକ୍ଷରୋପଣ ସହାୟତା ରାଶି, ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ, ସବୁଜ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଦି ପ୍ରଚେଷ୍ଟା ପରିବେଶ ସହଯୋଗୀ ଇକୋ-ସିଷ୍ଟମ ସୃଷ୍ଟି କରିବାରେ ସାହାଯ୍ୟ କରିବା ସହ ଯୁବପିଢ଼ି ଓ ଜନଜାତିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।



from ରାଜ୍ୟ – Sambad https://ift.tt/35D8gQ8

Post a Comment

0 Comments