ଗ୍ରାହକ ସାଜି ଝାମ୍ପିନେଲେ ୩ ଲକ୍ଷ ଟଙ୍କାର ଅଳଙ୍କାର

ଚଣ୍ତିଖୋଲ: ଗ୍ରାହକ ସାଜି ଦୁଇ ଜଣ ଲୁଟେରା ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାଲିଚନ୍ଦ୍ରପୁର ମାର୍କେଟ‌ ସରସ୍ବତୀ ବଜାରରେ ଥିବା ଓଳାଶୁଣୀ ଜୁଏଲର୍ସକୁ ଆଜି ଅପରାହ୍ଣ ସମୟରେ ଦୁଇ ଜଣ ଅଚିହ୍ନା ଯୁବକ ଆସି ମାଲିକ ସୁକାନ୍ତ କୁମାର ସାହୁଙ୍କୁ ଏକ ସୁନା ଲକେଟ୍‌ ଦେଖାଇବାକୁ କହିଥିଲେ। ସେମାନଙ୍କୁ ଶ୍ରୀ ସାହୁ ଲକେଟ ଦେଖାଇଥିଲେ। ତାହା ପସନ୍ଦ ହେବା ପରେ ଆବଶ୍ୟକ ଅର୍ଥ ଦେଇ ଦୁଇ ଯୁବକ ଲକେଟ୍‌କୁ କିଣିଥିଲେ। ପରେ ଜଣେ ଯୁବକ ଏକ ସୁନା କାନଫୁଲ ମାଗିଥିଲେ। ମାଲିକ ଶ୍ରୀ ସାହୁ ୭୨ ଗ୍ରାମ ଓଜନର ସୁନା ତିଆରି କାନଫୁଲ ଥିବା ଏକ ପ୍ୟାକେଟ ବାହାର କରୁଥିବା ବେଳେ ଦୁଇ ଲୁଟେରା ପ୍ୟାକେଟ୍‌ଟିକୁ ଶ୍ରୀ ସାହୁଙ୍କ ହାତରୁ ଝାମ୍ପି ନେଇ ଛୁ ମାରିଥିଲେ। ଏହା ଦେଖି ଶ୍ରୀ ସାହୁ ଚୋର ଚୋର ବୋଲି ଚିତ୍କାର କରି ଦୋକାନ ଭିତରୁ ପଦାକୁ ଆସି ସେମାନଙ୍କ ପିଛା କରିଥିଲେ। ଅନୁରୂପ ଭାବେ ଦୁଇ ଯୁବକ ମଧ୍ୟ ଚୋର ଚୋର କହି ଦୋକାନ ପାଖରୁ ୧୦୦ ଫୁଟ ଦୂରତ୍ବରେ ମଟର ସାଇକଲ ଚାଲୁ କରି ଅପେକ୍ଷା କରିଥିବା ଅନ୍ୟ ଜଣେ ଯୁବକଙ୍କ ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏ ସମସ୍ତ ଲୁଟ୍‌ ଘଟଣା ଦୋକାନରେ ଲଗାଯାଇଥିବା ସିସିଟିଭ କ୍ୟାମେରାରେ କଏଦ ହୋଇଛି। ଏ ନେଇ ମାଲିକ ଶ୍ରୀ ସାହୁ ଥାନାରେ ଅଭିଯୋଗ କରିବା ପରେ ଥାନା ଏସଆଇ ସୁରେନ୍ଦ୍ର ରଥ ଓଳାଶୁଣୀ ଜୁଏଲର୍ସରେ ପହଞ୍ଚି ସିସିଟିଭ ଫୁଟେଜ ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ଖୁବ୍‌ଶୀଘ୍ର ଲୁଟେରାମାନଙ୍କୁ ଧରାଯିବ ବୋଲି ସେ କହିଛନ୍ତି।



from ରାଜ୍ୟ – Sambad https://ift.tt/32ANcYC

Post a Comment

0 Comments