ବାପାଙ୍କ ଶୁଦ୍ଧିକ୍ରିୟା ବେଳେ ୨ ଭଉଣୀ ବୁଡ଼ିଗଲେ; ସାନ ମୃତ, ବଡ଼ ଉଦ୍ଧାର

ପଟ୍ଟାମୁଣ୍ତାଇ: ମାତ୍ର ୧୦ଦିନ ତଳେ ରୋଗାକ୍ରାନ୍ତ ବାପାଙ୍କୁ ହରାଇ ମ୍ରିୟମାଣ ହୋଇପଡିଥିବା ପରିବାରକୁ ଆଜି ପୁଣି ଏକ ଦୁଃଖର ସାମ୍ନା କରିବାକୁ ପଡ଼ିଛି। ବାପାଙ୍କ ଶୁଦ୍ଧିକ୍ରିୟାରେ ଗାଧୋଇବାକୁ ଯାଇଥିବାବେଳେ ୨ଭଉଣୀ ପୋଖରୀରେ ବୁଡ଼ି ଯାଇଛନ୍ତି। ୨୦ ବର୍ଷର ସା‌ନ ଭଉଣୀଙ୍କର ମୃତ୍ୟୁ ଘଟିଥିବାବେଳେ ୨୨ବର୍ଷର ବଡ଼ ଭଉଣୀଙ୍କୁ ଗାଁ ଲୋକେ ଉଦ୍ଧାର କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅରୁଆରେ ଘଟିଥିବା ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଅରୁଆ ଗ୍ରାମର ସ˚ଜୟ ନନ୍ଦି(୫୦) ଗତ ଏକବର୍ଷ ହେଲା ସ୍ନାୟୁ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ। ତାଙ୍କର ୨୨ ବର୍ଷ ଓ ୨୦ ବର୍ଷର ଦୁଇଝିଅ ଏବଂ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଗୋଟିଏ ପୁଅ ଅଛନ୍ତି। ବାପା ଶଯ୍ୟାଶାୟୀ ହେବାପରେ ସାନଝିଅ ଭବାନୀ ହାଇଦ୍ରାବାଦରେ ସିଲେଇ କାମ କରି ପରିବାରର ଭରଣପୋଷଣ କରିବା ସହ ବାପାଙ୍କ ଚିକିତ୍ସା କରାଉଥିଲେ। ହେଲେ, ସବୁ ଉଦ୍ୟମ ସତ୍ତ୍ବେ ୧୦ ଦିନ ତଳେ ବାପା ସ˚ଜୟ ଉପଯୁକ୍ତ ଚିକିତ୍ସା ନପାଇ ଆଖି ବୁଜିଥିଲେ। ଆଜି ତାଙ୍କର ଦଶାହ ଶୁଦ୍ଧିକ୍ରିୟା ଥିଲା। ବଡ଼ଝିଅ ଶିବାନୀ, ସାନଝିଅ ଭବାନୀ ଓ ଅନ୍ୟଜଣେ ସ˚ପର୍କୀୟ ଭଉଣୀ ମିଶି ଘର ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବାବେଳେ ହଠାତ ଭବାନୀ ପାଣିରେ ବୁଡି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଶିବାନୀ ମଧୢ ବୁଡି ଯାଇଥିଲେ। ସାଙ୍ଗରେ ଥିବା ଅନ୍ୟ ସମ୍ପର୍କୀୟ ଭଉଣୀ ପାଟି କରି ଡାକ ପକାଇବାରୁ ପୋଖରୀ ହୁଡ଼ାରେ ବସିଥିବା ଗାଁ ଲୋକମାନେ ପୋଖରୀ ଭିତରକୁ ଡେଇଁପଡ଼ି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିଛି ସମୟ ଭିତରେ ସେମାନେ ବଡ଼ଭଉଣୀ ଶିବାନୀଙ୍କୁ ଉଦ୍ଧାର କରିଥିଲେ ମଧୢ ସାନଭଉଣୀ ଭବାନୀ ଅଧିକ ଗଭୀରକୁ ଚାଲିଯାଇଥିବାରୁ ତାଙ୍କୁ ଉଦ୍ଧାର କରିପାରି ନଥିଲେ। ଖବର ପାଇ ପଟ୍ଟାମୁଣ୍ତାଇରୁ ଦମକଳବାହିନୀ ପହଞ୍ଚି ଗାଁ ଲୋକଙ୍କ ସହଯୋଗରେ ଭବାନୀଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ପଟ୍ଟାମୁଣ୍ତାଇ ମେଡିକାଲକୁ ଆଣିଥିଲେ। ତେବେ, ସେତେବେଳକୁ ତାଙ୍କ ମୃତ୍ୟୁ ଘଟି ସାରିଥିବା ଡାକ୍ତର ଘୋଷଣା କରିଥିଲେ। ଅସମୟରେ ବାପା ସଂଜୟଙ୍କ ମୃତ୍ୟୁ ପରେ ରୋଜଗାର କରି ଘର ଚଳାଉଥିବା ଝିଅ ଭବାନୀଙ୍କ ମୃତ୍ୟୁ ତାଙ୍କ ପରିବାରର ମେରୁଦଣ୍ତକୁ ଭାଙ୍ଗି ଦେଇଛି। ଘରେ ମା ପ୍ରତିମା, ଝିଅ ଶିବାନୀ ଓ ପୁଅ ଶିବୁ ଅଛନ୍ତି। ଖବର ପାଇ ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ରାକେଶ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଆଳି ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି।



from ରାଜ୍ୟ – Sambad https://ift.tt/2RvVQRC

Post a Comment

0 Comments