କଳାକାର ତିଆରି କରିବ ସଂଗୀତ ନାଟକ ଏକାଡେମି

ଭୁବନେଶ୍ୱର : ଲୁପ୍ତପ୍ରାୟ ଲୋକକଳାକୁ ପୁନରୁଦ୍ଧାର କରାଯିବ। ନୂଆ କଳାକାର ପ୍ରସ୍ତୁତ କରି କଳାକୁ ବଞ୍ଚାଇ ରଖାଯିବ। ଏହିଭଳି ଏକ ନିଆରା ଅଭିଯାନ ଆରମ୍ଭ କରିଛି ଓଡ଼ିଶା ସଂଗୀତ ନାଟକ ଏକାଡେମି। ପ୍ରଥମ ପର୍ଯ୍ୟାୟରେ ୫ଟି ଲୋକକଳାକୁ ନେଇ ଜଣେ ବିଶିଷ୍ଟ ଗୁରୁଙ୍କ ଦ୍ବାରା ତାଲିମ୍‌ ଦିଆଯିବ। ଏହି ନୂଆ ଅଭିଯାନର ନାଁ ରହିଛି ‘ଦୀକ୍ଷାନ୍ତ’।

ଗତକାଲି ଗୁରୁ ଦିବସରୁ ପ୍ରଥମ ‘ଦୀକ୍ଷାନ୍ତ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡସ୍ଥିତ ବୁରୋମୁଣ୍ଡା ଗ୍ରାମରେ ପଶ୍ଚିମ ଓଡ଼ିଶାର ସର୍ବପୁରାତନ କଳା ‘ସଂପ୍ରଦା’ର ତାଲିମ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୧୦ ଜଣ କଳାକାରଙ୍କୁ ନେଇ ସମ୍ବଲପୁରୀ ଫୋକ୍‌ ଏକାଡେମିର ସମ୍ପାଦକ ରବିରତନ ସାହୁ ଶିକ୍ଷାଦାନ କରିବେ। ୬ ମାସ ପର୍ଯ୍ୟନ୍ତ ଏହି ତାଲିମ କାର୍ଯ୍ୟକ୍ରମ ଚାଲିବ। ପ୍ରତ୍ୟେକ ପ୍ରଶିକ୍ଷାର୍ଥୀଙ୍କୁ ଦେଢ଼ ହଜାର ଟଙ୍କା ଲେଖାଏଁ ବୃତ୍ତି ସ୍ବରୂପ ପ୍ରଦାନ କରାଯିବ। ଓଡ଼ିଶା ସଂଗୀତ ନାଟକ ଏକାଡେମି ସଚିବ ପ୍ରବୋଧ ରଥ କହିଛନ୍ତି, ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଜରିଆରେ ଲୁପ୍ତ ପ୍ରାୟ ଲୋକକଳାକୁ ପୁନରୁଦ୍ଧାର ପାଇଁ ପଥ ପ୍ରସ୍ତୁତ ହେବ। ନୂଆ ପିଢ଼ିଙ୍କୁ ଦକ୍ଷ ଗୁରୁମାନଙ୍କ ଦ୍ବାରା ତାଲିମ୍‌ ଦେଇ ପ୍ରସ୍ତୁତ କରାଯିବ। ଫଳରେ ସେହି କଳାକାରମାନେ ପରବର୍ତୀ ସମୟରେ ଲୋକକଳାର ମଙ୍ଗ ଧରିବେ।

ପ୍ରଥମ ପର୍ଯ୍ୟାୟରେ ୫ଟି ଲୋକକଳାକୁ ନେଇ ଏହିଭଳି ଯୋଜନା ପ୍ରସ୍ତୁତ ହୋଇଛି। ଆସନ୍ତା ୧୧ ତାରିଖରୁ ‘ଚଇତି ଘୋଡ଼ା’ ନାଚ ଉପରେ ୬ ମାସର ତାଲିମ୍‌ ଦେବେ ବିଶିଷ୍ଟ ଘୋଡ଼ାନାଚ ଶିଳ୍ପୀ ଉତ୍ସବ ଚରଣ ଦାସ। ପରେ ଗଞ୍ଜାମର ଶେରଗଡ଼ରେ ଧବଳେଶ୍ବର ରଣାଙ୍କ ତତ୍ତ୍ବାବଧାନରେ ‘ପ୍ରହ୍ଲାଦ ନାଟକ’ ଉପରେ ତାଲିମ୍‌ ଦିଆଯିବ। କଳାହାଣ୍ଡି ଗୋଲମୁଣ୍ଡାରେ ବେଣୁଧର ନାଗଙ୍କ ତତ୍ତ୍ବାବଧାନରେ ‘ବନାବାଡ଼ି’ ଉପରେ ତାଲିମ୍‌ ଦିଆଯିବ। ବୈପାରୀଗୁଡ଼ାରେ ଆଦିବାସୀ ଦୁରୁଆ ନୃତ୍ୟ ଉପରେ ୬ ମାସିଆ ତାଲିମ ଶିବିର ଅନୁଷ୍ଠିତ ହେବ। ପରବର୍ତୀ ସମୟରେ ଢେମ୍‌ସା, ମାଦ୍‌ଲି, ରାଧାକୃଷ୍ଣ ଲୀଳା, ସଞ୍ଚାର ଓ ମୁଖବୀଣା ସମେତ ଅନ୍ୟ ଲୁପ୍ତପ୍ରାୟ ଲୋକକଳା ଉପରେ ‘ଦୀକ୍ଷାନ୍ତ’ କାର୍ଯ୍ୟକ୍ରମ ଜରିଆରେ ତାଲିମ୍‌ ପ୍ରଦାନ କରାଯିବ।



from ରାଜ୍ୟ – Sambad https://ift.tt/3h2HAdr

Post a Comment

0 Comments