ପର୍ଯ୍ୟଟକଙ୍କୁ ଓଡ଼ିଆ ଖାଦ୍ୟ ପରଷିବ ‘ନିମନ୍ତ୍ରଣ’

ଭୁବନେଶ୍ୱର : ରତ୍ନଗର୍ଭା ଓଡ଼ିଶା ମାଟି କେବଳ ପ୍ରକୃତି ଓ ଐତିହ୍ୟ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିନାହିଁ, ବରଂ ଖାଣ୍ଟି ଓଡ଼ିଆ ଖାଦ୍ୟର ମହକ ‌ଦରିଆ ସେପାରିରୁ ପର୍ଯ୍ୟଟକଙ୍କୁ ଟାଣି ଆଣିଛି। ଓଡ଼ିଶାର ମୁରବି ମହାପ୍ରଭୁ ଶ୍ରୀଜଗନ୍ନାଥ ଯେଉଁଠି ଛପନ ଭୋଗୀ, ସେଠାରେ ‘ଓଡ଼ିଆ ଖାଦ୍ୟ ପର୍ଯ୍ୟଟନ’ ଏକ ଆକର୍ଷଣ ହେବା ସ୍ବାଭାବିକ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପର୍ଯ୍ୟଟନ ବିଭାଗ ଆରମ୍ଭ କରିବ ‘ନିମନ୍ତ୍ରଣ’ ରେସ୍ତୋରାଁ। ରାଜ୍ୟର ବିଭିନ୍ନ ସ୍ଥାନରେ ଖାଣ୍ଟି ଓଡ଼ିଆ ଖାଦ୍ୟର ସ୍ବାଦ ଦେବାକୁ ରେସ୍ତୋରାଁମାନ ଖୋଲାଯିବ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଏହାର ପରିଚାଳନା ଭାର ବହନ କରିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର, ପୁରୀ ଓ ସମ୍ବଲପୁରରେ ‘ନିମନ୍ତ୍ରଣ’ର ଶୁଭାରମ୍ଭ ହେବ। ବିଶ୍ବ ପର୍ଯ୍ୟଟନ ଦିବସ ପରିପ୍ରେକ୍ଷୀରେ ଏ ସମ୍ପର୍କରେ ଘୋଷଣା କରାଯାଇଛି।

ନିମନ୍ତ୍ରଣ ସମେତ ଓଡ଼ିଶା ବାହାରେ ଓଡ଼ିଆ ଖାଦ୍ୟର ଉତ୍ସବ ଆୟୋଜନ କରାଯିବ। ପର୍ଯ୍ୟଟନ ବିଭାଗ ଯେଉଁଠାରେ ରୋଡ୍‌ ସୋ’ କରି‌ବ, ସେଠାରେ ଓଡ଼ିଆ ଖାଦ୍ୟ ଉତ୍ସବ ଆୟୋଜିତ ହେବ। ପର୍ଯ୍ୟଟନ ସଚିବ ବିଶାଲ ଦେବ ପର୍ଯ୍ୟଟନ ସଂକ୍ରାନ୍ତ ଏକ ୱେବିନାର୍‌ରେ ଦେଇଥିବା ସୂଚନା ମୁତାବକ, ବମ୍ବେ କ୍ୟାଣ୍ଟିନ୍‌ ଓଡ଼ିଶାରେ ଓଡ଼ିଶା ଖାଦ୍ୟ ସମ୍ପର୍କିତ ପ୍ରଶିକ୍ଷଣ ପରେ ସେଠାରେ ଏକ ଓଡ଼ିଆ ଖାଦ୍ୟ ଉତ୍ସବ ଆୟୋଜନ କରାଯିବ। ଏଥିସହ ଦେଶୀୟ ପର୍ଯ୍ୟଟକଙ୍କ ପାଇଁ ଦ୍ବାର ଉନ୍ମୁକ୍ତ କରିବାକୁ ରାଜ୍ୟର ସମସ୍ତ ମେଟ୍ରୋ ଓ ପ୍ରମୁଖ ସହରରେ ଖାଦ୍ୟ ଉତ୍ସବ କରାଯିବ। ଭାରତ ମଧ୍ୟରେ ଭ୍ରମଣ କରୁଥିବା ୫୦ପ୍ରତିଶତ ଦେଶୀୟ ପର୍ଯ୍ୟଟକ କେବଳ ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶର। ତେଣୁ ସେଇ ରାଜ୍ୟର ଦ୍ବିତୀୟ ସ୍ତର ଓ ତୃତୀୟସ୍ତରର ସହରମାନଙ୍କରେ ପର୍ଯ୍ୟଟନ ରୋଡ୍‌ ସୋ’ ଆୟୋଜନ ବେଳେ ଓଡ଼ିଆ ଖାଦ୍ୟ ଉତ୍ସବ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ପର୍ଯ୍ୟଟନ ବିଭାଗ। ଏନେଇ ତାରକା ହୋଟେଲ୍‌ର ଓଡ଼ିଆ ସେଫ୍‌ମାନଙ୍କ ସହ ଆଲୋଚନା ହୋଇସାରିଛି।

ଏଥିସହ କିଛି ପ୍ରମୁଖ ସହର ଓ ନଗରରେ ପର୍ଯ୍ୟଟନ ବିଭାଗ ‘ଫୁଡ୍‌ ଅନ୍‌ ହ୍ବିଲ୍‌’ ବ୍ୟବସ୍ଥାର ଶୁଭାରମ୍ଭ କରିବାକୁ ଯାଉଛି। ପ୍ରଥମେ ଭୁବନେଶ୍ବର, ପୁରୀ ଓ ସମ୍ବଲପୁରରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯିବ। ଏଠାରେ ସଫଳତାକୁ ପାଥେୟ କରି ରାଜ୍ୟର ଅନ୍ୟ ସ୍ଥାନରେ ଏପରି ଆୟୋଜନ କରାଯିବା ନେଇ ଚିନ୍ତା କରାଯାଉଥିବା ପର୍ଯ୍ୟଟନ ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି।



from ରାଜ୍ୟ – Sambad https://ift.tt/2FVDS9d

Post a Comment

0 Comments