ଆରମ୍ଭ‌ ହେଲା ୫ ଦିନିଆ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ

ଭୁବନେଶ୍ୱର : ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଅନଲାଇନ୍‌ରେ ଆରମ୍ଭ ହୋଇଛି ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ। ଚଳିତ ବର୍ଷ ଏହି ଉତ୍ସବକୁ ସ୍ବର୍ଗତ ସଂଗୀତ ମାର୍ତଣ୍ଡ ପଣ୍ଡିତ ଯଶରାଜ ଏବଂ ଥିଏଟର ନିର୍ଦେଶକ, ଅଭିନେତା, ଆଲୋକ ସମ୍ପାଦକ ଓ ସୃଜନର ସଦସ୍ୟ ଦିବଙ୍ଗତ ଜୟଦେବ ଦାସଙ୍କୁ ସମର୍ପିତ କରାଯାଇଛି। ୫ ଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନକୁ ଉଦ୍‌ଘାଟନ କରିଥିଲେ ବିଶିଷ୍ଟ ଅଭିନେତ୍ରୀ ତଥା ମଥୁରାର ସାଂସଦ ହେମା ମାଳିନୀ।

ସରକାରଙ୍କ ଦ୍ବାରା ନିର୍ଧାରିତ ସମସ୍ତ କୋଭିଡ୍‌ କଟକଣାକୁ ପାଳନ ପୂର୍ବକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରଥମ ଚରଣରେ ମଧୁସ୍ମିତା ମହାନ୍ତି ଭେଟି ଦେଇଥିଲେ ଓଡ଼ିଶୀ ନୃତ୍ୟ। ପ୍ରଥମେ ସେ ମଙ୍ଗଳାଚରଣ ପରିବେଷଣ କରିଥିଲେ। ଅରୁଣା ମହାନ୍ତି ଏହାର ନୃତ୍ୟ ସଂଯୋଜନା କରିଥିଲେ। ବିଜୟ ଜେନା ସଂଗୀତ ସଂଯୋଜନା କରିଥିବା ବେଳେ ତାଳ ସଂଯୋଜନା କରିଥିଲେ ଧନେଶ୍ବର ସ୍ବାଇଁ। ପରେ ସେ ଗୁରୁ କେଳୁଚରଣ ମହାପାତ୍ରଙ୍କ ନୃତ୍ୟ ସଂଯୋଜନା ଓ ପଣ୍ଡିତ ଭୁବନେଶ୍ବର ମିଶ୍ରଙ୍କ ସଂଗୀତ ସଂଯୋଜନାରେ କିରବାଣୀ ପଲ୍ଲବୀ ପରିବେଷଣ କରିଥିଲେ। ଶେଷରେ ସେ ଜୟଦେବଙ୍କ ଗୀତଗୋବିନ୍ଦ ଆଧାରିତ ଅଷ୍ଟପଦୀ ଭେଟି ଦେଇଥିଲେ। ଅରୁଣା ମହାନ୍ତି ନୃତ୍ୟ ସଂଯୋଜନା କରିଥିବା ବେଳେ ଓ ଡ. ସୁବାସ ପାଣିଙ୍କ ସଂଗୀତ ସଂଯୋଜନା କରିଥିଲେ। ରୂପକ କମାର ପରିଡ଼ା କଣ୍ଠଦାନ କରିଥିବା ବେଳେ ବିଜୟ ବାରିକ, ଶ୍ରୀନିବାସ ଶତପଥୀ, ସୁରମଣି ରମେଶ ଚନ୍ଦ୍ର ଦାସ, ଅଗ୍ନିମିତ୍ର ବେହେରା ସଂଗୀତାଂଶେ ସହଯୋଗ କରିଥିଲେ।

ସନ୍ଧ୍ୟାର ଆକର୍ଷଣ ଥିଲା ପଦ୍ମଭୂଷଣ ପଣ୍ଡିତ ବିଶ୍ବ ମୋହନ ଭଟ୍ଟଙ୍କ ମୋହନ ବୀଣା ପରିବେଷଣ। ରାଗ ଯମନ, ହଂସଧ୍ବନୀ, ରାମଦାସୀ ମହ୍ଲାର, ତିଳକ କାମୋଦ, ଜୟଜୟୱନ୍ତି ଓ ପିଲୁ ପରିବେଷଣ କରି ଚମତ୍କୃତ କରିଥିଲେ। ବୀଣାରେ ତାଙ୍କର ଆଙ୍ଗୁଳି ଚାଳନା ମାତ୍ରେ ଶ୍ରୋତାଙ୍କ ମଧ୍ୟରେ ରୋମାଞ୍ଚ ଭରିଥିଲା। ୫ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ରାତି ୮ଟାରେ ସୃଜନର ଫେସବୁକ୍‌ ଓ ୟୁ-ଟ୍ୟୁବରେ ସିଧା ପ୍ରସାରଣ କରାଯାଉଛି।



from ରାଜ୍ୟ – Sambad https://ift.tt/2F6ev3I

Post a Comment

0 Comments