ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ରବୀନ୍ଦ୍ର : ‘ନିର୍ବାଚନ ଲଢ଼ିବିନି ବୋଲି ଆଗରୁ କହିଥିଲି’, ଦଳ ଛାଡ଼ିବା ଖବର ମିଛ, ମନଗଢ଼ା

ବାଲେଶ୍ୱର : ବାଲେଶ୍ୱର ସଦର ଆସନ ଉପନିର୍ବାଚନ ପାଇଁ ଶାସକ ବିଜେଡିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ଦୁଇଦିନିଆ ବାଲେଶ୍ବର ଗସ୍ତରେ ଆସି ଗତକାଲିଠାରୁ ଜିଲ୍ଲାର ବିଧାୟକ, ପ୍ରମୁଖ ନେତା ଓ କର୍ମୀଙ୍କ ସହ ଆଲୋଚନା ଜାରି ରଖିଥିବା ବେଳେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଥିବା ପୂର୍ବତନ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଆଜି ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖି ଉପନିର୍ବାଚନ ପ୍ରାର୍ଥୀ ଦୌଡ଼ରେ ସେ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ଶ୍ରୀ ଜେନା ୨୦୨୦ ଜାନୁଆରି ମାସରେ ଜିଲ୍ଲାରେ ହୋଇଥିବା ଏକ କର୍ମୀ ସମ୍ମିଳନୀରେ ସେ ଆଉ ନିର୍ବାଚନ ଲଢିବେ ନାହିଁ କି ନିଜ ପାଇଁ ଭୋଟ୍‌ ମାଗିବାକୁ ଯିବେ ନାହିଁ ବୋଲି ଦଳୀୟ ପର୍ଯ୍ୟବେକ୍ଷକ, ସମସ୍ତ ବିଧାୟକ, ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଓ କର୍ମୀଙ୍କ ଉପସ୍ଥିତିରେ କହିଥିଲେ। ଆଜି ପୁଣି ସେ ଏ କଥାକୁ ଦୋହରାଇଛନ୍ତି। ଏଥିସହ ଦଳ ଛାଡ଼ିବା‌ ନେଇ ପ୍ରଚାର ହେଉଥିବା ଖବରକୁ ମଧ୍ୟ ଖଣ୍ଡନ କରିଛନ୍ତି। ଦଳ ସହିତ ସେ ସବୁବେଳେ ଅଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ତାଙ୍କୁ ଯେଉଁ କାମ ଦିଆଯିବ ସେ ସୁଚାରୁରୂପେ ତୁଲାଇବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ରବୀନ୍ଦ୍ର ଜେନା ବାଲେଶ୍ବର ଜିଲ୍ଲା ବିଜେଡି ସଭାପତି ଅଛନ୍ତି। ସେ ଦଳ ଛାଡୁଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ମିଛ। ଉପନିର୍ବାଚନ ପାଇଁ କାହାକୁ କିଛି ଦାୟିତ୍ବ ଦିଆଯାଇନାହିଁ। ଗତକାଲି କିଛି ଆଶାୟୀଙ୍କ ନାଁ ସଂପର୍କରେ ଚର୍ଚ୍ଚା ହୋଇଥିଲା। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ। ତେବେ ପ୍ରାର୍ଥୀ ଚୟନ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଦଳର ସୁପ୍ରିମୋ ନେବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

ସୂଚନାଯୋଗ୍ୟ, ଉପନିର୍ବାଚନ ପ୍ରସଙ୍ଗ ନେଇ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ଗତକାଲି ପୂର୍ବାହ୍ନରେ ସ୍ଥାନୀୟ ସର୍କିଟ ହାଉସ୍‌ଠାରେ ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀର ବିଧାୟକ, ନେତା ଏବଂ ବରିଷ୍ଠ ନେତୃବୃନ୍ଦଙ୍କୁ ଡକାଇ ସାଙ୍ଗଠନିକ ସ୍ଥିତି ଓ ଦଳୀୟ ରଣନୀତି ସଂପର୍କରେ ଆଲୋଚନା କରିଥିଲେ। ବିଶେଷକରି ଦଳର ବିଜୟକୁ ସୁନିଶ୍ଚିତ କରିବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ବାରୋପ କରିଥିବାବେଳେ ନିର୍ବାଚନମଣ୍ଡଳୀର ବିଭିନ୍ନ ଜିଲ୍ଲା ପରିଷଦ ଜୋନ୍‌ର ଦାୟିତ୍ବ ବରିଷ୍ଠ ନେତୃବୃନ୍ଦଙ୍କୁ ବଣ୍ଟାଯାଇଥିଲା। ତେବେ ଜିଲ୍ଲା ସଭାପତି ରବୀନ୍ଦ୍ରଙ୍କୁ କୌଣସି ଦାୟିତ୍ବ ଦିଆଯାଇ ନଥିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି ଏବଂ ନିଜ କର୍ମୀ ଓ ସମର୍ଥକଙ୍କୁ ନେଇ ସେ ବିଜେଡି ଛାଡ଼ିବେ ବୋଲି କିଛି ଗଣମାଧ୍ୟମ‌ରେ ଆଜି ଖବର ପ୍ରକାଶ ପାଇଥିଲା। ବିଭିନ୍ନ ନିର୍ବାଚନମଣ୍ଡଳୀରୁ ବିଜେଡିର ନେତା ଓ କର୍ମୀମାନେ ଶ୍ରୀ ଜେନାଙ୍କୁ ଭେଟିବାକୁ ଆଜି ଓଟିରୋଡ୍‌ସ୍ଥିତ ତାଙ୍କ ଆବାସିକ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଅନ୍ୟପଟେ ଆଜି ଉପନିର୍ବାଚନ ପ୍ରସଙ୍ଗରେ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପ‌ରେ ହେବାକୁ ଥିବା କର୍ମୀ ସମ୍ମିଳନୀକୁ ମଧ୍ୟ ଅଚାନକ ସ୍ଥଗିତ ରଖାଯାଇଥିଲା। କୋଭିଡ୍‌ ଗାଇଡଲାଇନ୍‌ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିନଥିବା କୁହାଯାଉଛି।



from ରାଜ୍ୟ – Sambad https://ift.tt/3mMSat9

Post a Comment

0 Comments