ସାଙ୍ଗ ହୋଇ ବିଷ ପିଇଲେ ବୃଦ୍ଧ ଦମ୍ପତି, ଡାକ୍ତରଖାନାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଯଶିପୁର/ରରୁଆଁ : ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ତଥା ରରୁଆଁ ବ୍ଲକ୍‌ ଭଞ୍ଜକିଆ ବଜାରରୁ ୩ କିମି ଦୂର ବିଶିଦା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପୁଅ ବୋହୂଙ୍କ ନିର୍ଯାତନା ଅସହ୍ୟ ହେବାରୁ ଏକ ବୃଦ୍ଧ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ବୃଦ୍ଧା ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ ବୃଦ୍ଧ ସ୍ବାମୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ସୂଚନା ଅନୁଯାୟୀ ବିଶିଦା ଗ୍ରାମର ୮୦ ବର୍ଷୀୟ ଅଙ୍କୁର ବେହେରା ଓ ପତ୍ନୀ ଭାନୁମତୀ ଆଜି ମଧ୍ୟାହ୍‌ଣରେ ଘରେ କେହି ନଥିବା ବେଳେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବିଲ କାମକୁ ଯାଇଥିବା ବୋହୂ ଘରକୁ ଫେରି ଦେଖିବା ବେଳକୁ ଶାଶୁ, ଶ୍ବଶୁର ବିଷଜ୍ବାଳାରେ ତଳେ ପଡ଼ି ଛଟପଟ ହେଉଛନ୍ତି। ସେ ସଙ୍ଗେ ସଙ୍ଗେ ବିଲରେ କାମ କରୁଥିବା ସ୍ବାମୀ ରାଜୀବଙ୍କୁ ଡାକିଥିଲେ। ପୁଅ, ବୋହୂ ଓ ଗ୍ରାମବାସୀ ମିଶି ବୃଦ୍ଧ ଦମ୍ପତିଙ୍କୁ ଏକ ଅଟୋରେ ପ୍ରଥମେ ଭଞ୍ଜକିଆ ଡାକ୍ତରଖାନାରେ ପହଞ୍ଚାଇଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଯଶିପୁର ଡାକ୍ତରଖାନା ଓ ପରେ ପରେ କରଂଜିଆ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପହଞ୍ଚିବାର ଅଳ୍ପ ସମୟ ଭିତରେ ଭାନୁମତୀଙ୍କ ମୃତ୍ୟୁ ଘଟିଥିଲା। ଅଙ୍କୁରଙ୍କ ସ୍ଥିତି ସଙ୍କଟାପନ୍ନ ଅଛି। ଖବର ପାଇ ପୁଲିସ ଘଟଣାର ତଦନ୍ତ କରୁଛି।



from ରାଜ୍ୟ – Sambad https://ift.tt/3cb4Zst

Post a Comment

0 Comments