
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାରେ ତ୍ରୁଟିକୁ ନେଇ ବିରୋଧୀ ଲଗାତର ସରକାରଙ୍କୁ ଆକ୍ରମଣ ଜାରି ରଖିଛନ୍ତି। ଏହି ନିଆଁରେ ଘିଅ ଢାଳିଛନ୍ତି ଖୋଦ୍ ଶାସକ ଦଳର ବିଧାୟକ । ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ନୁହେଁ ବୋଲି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଖୋଲାଖୋଲି କହିଛନ୍ତି। କୋଭିଡ୍ ପରିଚାଳନାକୁ ନେଇ ସେ ମଧ୍ୟ ନିଜ ଅସନ୍ତୋଷ ଜାହିର କରିଛନ୍ତି। ରୋଗୀମାନେ କିପରି ହଇରାଣ ହେଉଛନ୍ତି, ତାହାର ଚିତ୍ର ମଧ୍ୟ ଗଣମାଧ୍ୟମକୁ ଦେଇଛନ୍ତି। ଉମାଙ୍କର ଏହି ବିଷୋଦ୍ଗାର ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛନ୍ତି। ବିରୋଧୀ ଦଳର ନେତାମାନେ ଉମାଙ୍କୁ ସମର୍ଥନ କରି ସରକାରଙ୍କୁ ଆହୁରି ଅଡ଼ୁଆରେ ପକାଇଛନ୍ତି।
ଶ୍ରୀ ସାମନ୍ତରାୟ କହିଛନ୍ତି ଯେ ବର୍ତ୍ତମାନ ଯେତିକି କୋଭିଡ୍ ବେଡ୍ ଅଛି, ତାହା ଠାରୁ ଅଧିକ ରୋଗୀ ଆସୁଛନ୍ତି। ରାଜ୍ୟରେ ଯେତିକି କୋଭିଡ୍ ହସ୍ପିଟାଲ୍ ଅଛି ତାହା ଯଥେଷ୍ଟ ନୁହେଁ। ଗୁରୁତର ରୋଗୀମାନେ ମଧ୍ୟ ଠିକ୍ ଚିକିତ୍ସା ପାଉ ନାହାନ୍ତି। ଯେଉଁ ହାରରେ ରୋଗୀ ବଢ଼ୁଛନ୍ତି ଆମକୁ ଆଜିର ଦିନରେ ଆଉ ଅଧିକ ଆଇସିୟୁ ବେଡ୍ ଦରକାର। ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ୍ରେ ଆଇସିୟୁ ବେଡ୍ ବଢ଼ାଇବାକୁ ପଡ଼ିବ। ଯେଉଁ ରୋଗୀମାନଙ୍କୁ କୋଭିଡ୍ ହୋଇ ନାହିଁ, ସେମାନେ ବି ହସ୍ପିଟାଲ୍ ଗଲେ ଉପଯୁକ୍ତ ଚିକିତ୍ସା ମିଳୁ ନାହିଁ। ବିଧାନସଭାରେ ଆମେ ଏ କଥା ଆଲୋଚନା କରିବୁ। ସ୍ବାସ୍ଥ୍ୟ ମନ୍ତ୍ରୀ, ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ।
ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଶାସକ ଦଳର ବିଧାୟକ କହିଛନ୍ତି ଯେ ଆଗରୁ ଥିବା ଓଏସ୍ଟିଏଫ୍ ପାଣ୍ଠି ଓ ବିଏସ୍କେୱାଇ କାର୍ଡରେ ବହୁ ତାରତମ୍ୟ ରହୁଛି। ଫଳରେ ରୋଗୀମାନେ ହସ୍ପିଟାଲ୍ ଯାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଏସ୍କେୱାଇ କାର୍ଡରେ ସୁବିଧା ମିଳୁନି। ଭୁବନେଶ୍ବରର ପ୍ରମୁଖ ହସ୍ପିଟାଲ୍ ରାଜ୍ୟ ସରକାରଙ୍କ ସହିତ ଏ ଯାଏ ସହବନ୍ଧିତ ହୋଇ ନାହାନ୍ତି। ବିଏସ୍କେୱାଇକୁ ଓଏସ୍ଟିଏଫ୍ ସହ ସମାନ କରିବାକୁ ହେବ।
ଉମାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ କୋଭିଡ୍ ପରିଚାଳନା ତ୍ରୁଟିକୁ ସ୍ବୀକାର କରି ଉମା ସତ କଥା କହିଛନ୍ତି। ସେ ସ୍ପଷ୍ଟବାଦୀ। କିନ୍ତୁ ସରକାର ତାଙ୍କୁ ଛାଡ଼ିବେନି। ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ନେବେ। ଭିତିରିଆ ତାଙ୍କ ଏରିଆ ସଫା କରି ଶେଷକୁ ଟିକେଟ୍ କାଟିଦେବେ ବୋଲି ସେ କଟାକ୍ଷ କରିଛନ୍ତି।
ଉମାଙ୍କୁ ପ୍ରଶଂସା କରି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି ଯେ କେବଳ ବିଜେଡି ବିଧାୟକ ନୁହନ୍ତି, ଓଡ଼ିଶାରେ ସବୁ ଲୋକ କୋଭିଡ୍ ପରିଚାଳନା ବିଫଳତା ବିଷୟରେ କହୁଛନ୍ତି। ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେଉଥିବା ସରକାର ତଥ୍ୟ ଲୁଚାଉଛନ୍ତି। ଏହା ସହ ମୃତ୍ୟୁ ତଥ୍ୟ ମଧ୍ୟ ଠିକ୍ ଭାବେ ଦେଉ ନାହାନ୍ତି। ଘରୋଇ ହସ୍ପିଟାଲ୍ କରୋନା ଚିକିତ୍ସା ନାଁରେ ରୋଗୀଙ୍କୁ ଲୁଟୁଛନ୍ତି। ଏଠାରେ ୫ଟି କୁଆଡ଼େ ଗଲା ? ୫-ଟି ଗୋଟିଏ ଫାର୍ସ ଥିଲା ବୋଲି ପ୍ରମାଣିତ ହୋଇଛି। କରୋନା ମହାମାରୀ ଦୁର୍ନୀତିକୁ ବିଜେପି ଗୃହରେ ଉଠାଇବ ବୋଲି ଶ୍ରୀ ମିଶ୍ର କହିଛନ୍ତି।
from ରାଜ୍ୟ – Sambad https://ift.tt/3kSx2zR
0 Comments