ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧ୍ୟାଦେଶ ପ୍ରସଙ୍ଗ: ଶିକ୍ଷାବିତ୍, ଶିକ୍ଷକ ଓ ଛାତ୍ର ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି, ଧର୍ମେନ୍ଦ୍ର

ଭୁବନେଶ୍ବର: ବୁଦ୍ଧିଜୀବୀ, ଶିକ୍ଷାବିତ୍, ଶିକ୍ଷକ ଓ ଛାତ୍ରଛାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧ୍ୟାଦେଶକୁ ନେଇ ଏମିତି ଆପତ୍ତି ଉଠାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପାଖୋରାୟାଲଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ମାମଲାରେ ମନ୍ତ୍ରୀ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତି। ପ୍ରଫେସର ଏମ୍ ସି ଦାସ ଓ ପ୍ରଫେସର ଜି ବି ଏନ୍‌ ଚଇନି ଏ ସଂକ୍ରାନ୍ତରେ ତାଙ୍କୁ ଦେଇଥିବା ଅଭିଯୋଗ ପତ୍ରକୁ ଶ୍ରୀ ପ୍ରଧାନ ଶିକ୍ଷା ମନ୍ତ୍ରୀଙ୍କ ପଠାଇବା ସହ ସେମାନେ ଉଲ୍ଲେଖ କରିଥିବା ପ୍ରସଙ୍ଗ ସମ୍ପର୍କରେ ଅବଗତ କରାଇଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ବିଶ୍ବବିଦ୍ୟାଳୟଗୁଡ଼ିକର ସ୍ବାୟତ୍ତତାକୁ ସଙ୍କୁଚିତ କରିବା ପାଇଁ ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ-୧୯୮୯କୁ ପରିବର୍ତ୍ତନ କରିବା ସହ ରେଭେନ୍ସା ବିଶ୍ବବିଦ୍ୟାଳୟ ଅଧିନିୟମ-୨୦୦୫କୁ ଉଚ୍ଛେଦ କରି ବିଶ୍ବବିଦ୍ୟାଳୟଗୁଡ଼ିକୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଅଣାଯାଇଛି। ସିଣ୍ଡିକେଟ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ କ୍ଷୁଣ୍ଣ କରି ଏହାକୁ ଅମଲା କୈନ୍ଦ୍ରିକ କରିବା ପାଇଁ ରାଜ୍ୟ ସରକାର ତାଙ୍କ ଅଧ୍ୟାଦେଶରେ ବ୍ୟବସ୍ଥା କରିବା ସହ କୁଳପତି ସର୍ଚ୍ଚ କମିଟିରେ ସରକାରଙ୍କ ପ୍ରତିନିଧି ରହିବାର ବ୍ୟବସ୍ଥା ଜବରଦସ୍ତି ଲଦି ଦିଆଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ସରକାରୀ ଅଫିସର୍‌ ରେଜିଷ୍ଟର୍‌ଙ୍କୁ ସିଣ୍ଡିକେଟ୍‌ର ସମ୍ପାଦକ କରିବାର ବ୍ୟବସ୍ଥା କରାଯାଇଛି। ବିଶ୍ବବିଦ୍ୟାଳୟ ଶିକ୍ଷକ ଚୟନ ପ୍ରକ୍ରିୟାରେ ବିଶ୍ବବିଦ୍ୟାଳୟ ଭୂମିକାକୁ ଶେଷ କରି ଓଡ଼ିଶା ଲୋକସେବା ଆୟୋଗକୁ ଏହି ଦାୟିତ୍ବ ଦିଆଯାଇଛି। ଏହା ବିଶ୍ବବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ନଷ୍ଟ କରିବ। ଏହା ସହ ଅଣଶିକ୍ଷକ ପଦବିରେ ଚାକିରି ‌ପାଇଁ ଷ୍ଟାଫ୍‌ ସିଲେକ୍ସନ୍ କମିସନକୁ ଦାୟିତ୍ବ ଦେଇ କୁଳପତିଙ୍କ ନିୟନ୍ତ୍ରିତ ବ୍ୟବସ୍ଥାକୁ ସମାପ୍ତ କରାଯାଇଛି। ବିଶ୍ବବିଦ୍ୟାଳୟର ଅଡିଟ୍‌ ରପୋର୍ଟ ବିଧାନସଭାରେ ଉପସ୍ଥାପନ କରିବାର ପରମ୍ପରାକୁ ମଧ୍ୟ ଶେଷ କରାଯାଇଛି। ଅଧ୍ୟାଦେଶ ମାଧ୍ୟମରେ କରାଯାଇଥିବା ଏହି ପରିବର୍ତ୍ତନ ଅନ୍ୟ ରାଜ୍ୟର ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି। ଶିକ୍ଷା ସାମ୍ବିଧାନିକ ବ୍ୟବସ୍ଥାରେ ମିଳିତ ତାଲିକାରେ ଆସୁଥିବାରୁ ରାଜ୍ୟ ସରକାରଙ୍କ ଆଇନ କେନ୍ଦ୍ର ନୀତିର ବିରୁଦ୍ଧାଚରଣ କରିପାରିବ ନାହିଁ ବୋଲି ଶ୍ରୀ ପ୍ରଧାନ ଯୁକ୍ତି ଦର୍ଶାଇଛନ୍ତି।

ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧ୍ୟାଦେଶ ୨୦୨୦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ର ଶିକ୍ଷାନୁଷ୍ଠାନମାନଙ୍କୁ ସ୍ବାୟତ୍ତତା ମାଧ୍ୟମରେ ଶିକ୍ଷା ଅନୁସନ୍ଧାନକୁ ଆଗକୁ ବଢ଼ାଇବା ପାଇଁ ନୀତିର ବିରୁଦ୍ଧାଚରଣ କରୁଛି। ତେଣୁ ବିଶ୍ବବିଦ୍ୟାଳୟ ଛାତ୍ର, ଶିକ୍ଷକ ଓ କର୍ମଚାରୀଙ୍କ ସ୍ବାର୍ଥ ରକ୍ଷା ପାଇଁ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।



from ରାଜ୍ୟ – Sambad https://ift.tt/2GZvk0V

Post a Comment

0 Comments