ନାବାଳିକା ଉଦ୍ଧାର ମାମଲାରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ : ଚନ୍ଦନପୁର ଥାନା ଆଇଆଇସିଙ୍କୁ ହାଜିରା ନିର୍ଦ୍ଦେଶ

କଟକ : ଅପହୃତା ନାବାଳିକା ଉଦ୍ଧାର ପ୍ରସଂଗରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଚନ୍ଦନପୁର ଥାନା ଆଇଆଇସିଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଯଥେଷ୍ଟ ସୁଯୋଗ ଦିଆଯାଇଥିଲେ ମଧ୍ୟ ଚନ୍ଦନପୁର ପୁଲିସ କିଛି କରି ନଥିଲା ବୋଲି ଅଭିଯୋଗ ହୋଇଥିଲା। ଅନ୍ୟ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ମାମଲାର ସ୍ଥିତି ସଂପର୍କରେ ପୁଲିସ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ କୌଣସି ତଥ୍ୟ ଉପସ୍ଥାପନ କରାଯାଇ ନଥିଲା। ଏପରି ପରିସ୍ଥିତିରେ ସେପ୍ଟେମ୍ବର ୩୦ ତାରିଖରେ ଚନ୍ଦନପୁର ଥାନା ଆଇଆଇସି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏସ୍.କେ.ମିଶ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ହେବିୟସ୍ କର୍ପସ୍ ପିଟିସନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ନାବାଳିକା ଅପହରଣ ନେଇ ଚନ୍ଦନପୁର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ନାବାଳିକାକୁ ଉଦ୍ଧାର ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲା ବୋଲି ଅଭିଯୋଗ ହୋଇଥିଲା। ଏହାପରେ ନାବାଳିକାର ଉଦ୍ଧାର ପ୍ରସଂଗ ନେଇ ପୀଡିତାଙ୍କ ବାପା ଓ ମା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ଗୃହ ସଚିବ, ପୁଲିସ ଡିଜି, ପୁରୀ ଏସପି ଓ ଚନ୍ଦନପୁର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଦ୍ୟାଧର ପ୍ରଧାନ ମାମଲା ପରିଚାଳନା କରୁଥିବା ‌ବେଳେ ଦୀପ୍ତି ମିଶ୍ର ସହାୟତା କରୁଥିଲେ।



from ରାଜ୍ୟ – Sambad https://ift.tt/3i7ixX9

Post a Comment

0 Comments