
ଭୁବନେଶ୍ବର: ସବୁ ରାଜ୍ୟର କୃଷି ମନ୍ତ୍ରୀମାନଙ୍କର ଏକ ବୈଠକ ଆଜି ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ର ମନ୍ତ୍ରୀ ମନସୁଖଭାଇ ମାଣ୍ଡଭିୟ ସାର ଯୋଗାଣର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ବୈଠକରେ ସାମିଲ ହୋଇ ଅଗଷ୍ଟ ମାସର ବାକି ୟୁରିଆ ସାର ସହ ଚଳିତ ଖରିଫ ଚାଷ ନିମନ୍ତେ ରାଜ୍ୟକୁ ଅଧିକ ସାର ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି।
ଓଡ଼ିଶାରେ ସାର ଯୋଗାଣ ଓ ବ୍ୟବହାର ସମ୍ପର୍କରେ ସୂଚନା ଦେଇ ଶ୍ରୀ ସାହୁ କହିଥିଲେ ଯେ ଜୁଲାଇ ଦ୍ବିତୀୟ ସପ୍ତାହରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ୟୁରିଆ ସାରର ସର୍ବୋଚ୍ଚ ଚାହିଦା ରହିଥାଏ। ଖରିଫ ଚାଷର ୬୦ ପ୍ରତିଶତ ୟୁରିଆ ଏହି ସମୟରେ ବ୍ୟବହାର ହୋଇଥାଏ। ଭାରତର ପୂର୍ବାଞ୍ଚଳରେ କୌଣସି ୟୁରିଆ ଉତ୍ପାଦନ କାରଖାନା ନାହିଁ। ତେଣୁ ଓଡ଼ିଶାକୁ ଉତ୍ତରାଞ୍ଚଳ ଓ ପଶ୍ଚିମାଞ୍ଚଳର କାରଖାନାରୁ ୟୁରିଆ ନିମନ୍ତେ ନିର୍ଭର କରିବାକୁ ପଡ଼ିଥାଏ। ୨୦୨୦ ଜୁନ୍ ମାସରେ ରାଜ୍ୟର ୟୁରିଆ ସାର ଚାହିଦା ୭୦ ହଜାର ମେଟ୍ରିକ୍ ଟନ୍ ଥିଲା ବେଳେ ୫୬,୨୨୮ ମେଟ୍ରିକ୍ ଟନ୍ ସାର ଯୋଗାଣ ହୋଇଥିଲା, ଯାହା କି ଚାହିଦା ଠାରୁ ୧୩,୭୭୨ ମେଟ୍ରିକ୍ ଟନ୍ କମ୍ ଥିଲା। ସେହିପରି ଜୁଲାଇ ମାସରେ ୧୯,୬୧୯ ମେଟ୍ରିକ୍ ଟନ୍ ସାର ଓଡ଼ିଶାକୁ ଯୋଗାଣ ହୋଇଥିଲା। ଅଗଷ୍ଟ ମାସରେ ରାଜ୍ୟରେ ୧ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ସାରର ଆବଶ୍ୟକତା ଥିଲା ବେଳେ ଅଗଷ୍ଟ ୧୭ ତାରିଖ ସୁଦ୍ଧା ରାଜ୍ୟକୁ ମାତ୍ର ୩୪,୧୫୦ ମେଟ୍ରିକ୍ ଟନ୍ େଯାଗାଣ ହୋଇଛି। ଜୁନ୍ ଓ ଜୁଲାଇ ମାସର ନିଅଣ୍ଟିଆ ସାର ଯୋଗାଣ ଏବଂ ଅଗଷ୍ଟ ମାସର ବାକି ଅବଧି ପାଇଁ ରାଜ୍ୟରେ ୧ ଲକ୍ଷ ୩ ହଜାର ମେଟ୍ରିକ୍ ଟନ୍ ୟୁରିଆ ସାରର ଆବଶ୍ୟକତା ରହିଛି। ଓଡ଼ିଶାରେ ଖରିଫ୍ରେ ମୁଖ୍ୟତଃ ଧାନ ଚାଷ କରାଯାଉଥିବା ବେଳେ ଅଧିକ ୟୁରିଆ ସାର ଦରକାର ପଡ଼ୁଛି। ରାଜ୍ୟ ସରକାରଙ୍କ ତରଫରୁ ଇଫ୍କୋ, ଆର୍ସିଏଫ୍, ଏନ୍ଏଲ୍ଏଫ୍ ଆଦି ସାର କମ୍ପାନିଗୁଡ଼ିକ ନିଜସ୍ବ ଉତ୍ପାଦିତ ସାର ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଥିଲା ବେଳେ ରାଜ୍ୟକୁ ବିଦେଶରୁ ଆମଦାନୀ ହେଉଥିବା ୟୁରିଆ ସାର ଉପଲବ୍ଧ ହୋଇ ନାହିଁ। ଏହି ପରିପ୍ରେକ୍ଷୀରେ ରାଜ୍ୟକୁ ଇଣ୍ଡିଆନ୍ ପଟାସ୍ ଲିମିଟେଡ୍ ପକ୍ଷରୁ ବିଦେଶରୁ ଆମଦାନୀ ହେଉଥିବା ୟୁରିଆ ସାର ଯୋଗାଇ ଦେବା ପାଇଁ ମନ୍ତ୍ରୀ ଅନୁରୋଧ କରିଥିଲେ।
ରାଜ୍ୟରେ ୟୁରିଆ ସାର ଖୁଚୁରା ବିକ୍ରୟକୁ କ୍ୟାସ୍ଲେସ୍ ଓ ଡିଜିଟାଲ୍ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଅଦ୍ୟାବଧି ଏକ ହଜାର ଖୁଚୁରା ସାର ବିକ୍ରୟ କେନ୍ଦ୍ରକୁ ଡିଜିଟାଲ୍ କରାଯାଇଛି ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ। ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ଓ କୃଷି ଉତ୍ପାଦନ ନିର୍ଦ୍ଦେଶକ ଏମ୍ ମୁଥୁକୁମାର ଯୋଗ ଦେଇଥିଲେ।
from ରାଜ୍ୟ – Sambad https://ift.tt/2E6iQn5
0 Comments