ସୌମ୍ୟରଞ୍ଜନ କରୋନା ଆକ୍ରାନ୍ତ: ଆଶୁ ଆରୋଗ୍ୟ କାମନା କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନିଜେ ଶ୍ରୀ ପଟ୍ଟନାୟକ ଆଜି ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି। ତେବେ ସେ ସୁସ୍ଥ ଅଛନ୍ତି ଏବଂ ଗତ ସପ୍ତାହରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବନ୍ଧୁମାନେ ଡାକ୍ତରୀ ପରାମର୍ଶ ନେବାକୁ ଅନୁରୋଧ କରିଛନ୍ତି। କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରୁ ଶ୍ରୀ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି। ରାଜ୍ୟପାଳ ପ୍ର‌େଫସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଟ୍ବିଟ୍‌ କରି ଶ୍ରୀ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଶ୍ରୀ ପଟ୍ଟନାୟକଙ୍କ ସହ ଫୋନ୍‌ରେ କଥା ହୋଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ଆରୋଗ୍ୟ କାମନା କରିଛନ୍ତି। ସେହିପରି ଉଚ୍ଚଶିକ୍ଷା‌ ମନ୍ତ୍ରୀ ଅରୁଣ ସାହୁ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରୀ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ପୁରୀ ଶ୍ରୀମନ୍ଦିର, କଟକ ଚଣ୍ଡୀ ମନ୍ଦିର, ଘଟଗାଁ ତାରିଣୀ ମନ୍ଦିର, ଯାଜପୁରର ବିରଜା ମନ୍ଦିର, ଜଗତସିଂହପୁରର ଶାରଳା ମନ୍ଦିର, କେନ୍ଦୁଝରର ଦକ୍ଷିଣକାଳୀ ମନ୍ଦିର, ଖଣ୍ଡପଡ଼ାର ବଜରଙ୍ଗୀ ମନ୍ଦିର, ବାରିପଦାର ଶିରିଡ଼ି ସାଇ ମନ୍ଦିର ପ୍ରଭୃତି ବିଭିନ୍ନ ମନ୍ଦିର‌ରେ ବହୁ ଶୁଭେଚ୍ଛୁ ଦୀପଦାନ କରିଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ‘ଆମ ଓଡ଼ିଶା’ ଓ ‘ସମ୍ବାଦ ସାହିତ୍ୟଘର’ ଶାଖା ତରଫରୁ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କ ଦ୍ରୁତ ଆରୋଗ୍ୟ କାମନା କରାଯାଇଛି।



from ରାଜ୍ୟ – Sambad https://ift.tt/2F9kTHe

Post a Comment

0 Comments