ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ବିଦ୍ୟାଶ୍ରୀଙ୍କୁ ପୁଣି ଜେରା

ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶ ମୃତ୍ୟୁ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଆଜି ପୁଣିଥରେ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରିଛି। ଅପରାହ୍‌ଣରେ କ୍ରାଇମ୍‌ବ୍ରାଞ୍ଚର ତିନିଜଣ ଅଧିକାରୀ ଆଦିତ୍ୟଙ୍କ ଭଡ଼ାଘରକୁ ଯାଇ ବିଦ୍ୟାଶ୍ରୀଙ୍କୁ ପାଖାପାଖି ୩ଘଣ୍ଟା ଧରି ଜେରା କରିଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, କ୍ରାଇମ୍‌ବ୍ରାଞ୍ଚର ୪ଜଣିଆ ଆଉ ଗୋଟିଏ ଟିମ୍‌ ବିଦ୍ୟାଶ୍ରୀଙ୍କ କଟକସ୍ଥିତ ଘରେ ତାଙ୍କ ମା’ ଓ ଭାଇଙ୍କୁ ଜେରା କରିଛି। ତଦନ୍ତକାରୀ ଟିମ୍‌ ପାଖାପାଖି ୨ଘଣ୍ଟା ଧରି ଉଭୟଙ୍କୁ ପଚରାଉଚରା କରିଥିଲେ। ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ସଂପର୍କ କେମିତି ଥିଲା, କିଛି ମନୋମାଳିନ୍ୟ ଥିଲା କି? ଏହି ବିବାହରେ ବିଦ୍ୟାଶ୍ରୀ ଖୁସି ଥିଲେ କି ନାହିଁ; ଆଦି ବିଷୟରେ ପଚରାଉଚରା କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଆଦିତ୍ୟଙ୍କ ମୃତ୍ୟୁକୁ ଇତି ମଧ୍ୟରେ ୩୭ଦିନ ପୂରି ଯାଇଛି। ଗତ ଜୁଲାଇ ୭ ତାରିଖରେ ଆଦିତ୍ୟଙ୍କ ମୃତଦେହ ରେଳ ଧାରଣାରୁ ମିଳିଥିଲା। ପ୍ରଥମେ ଜିଆରପି ପୁଲିସ୍‌ ୨୪ ଦିନ ଧରି ମାମଲାର ତଦନ୍ତ କରିବା ପରେ ଏବେ ୧୩ ଦିନ ହେଲା ତନାଘନା ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚ। ନିକଟ ଅତୀତରେ କ୍ରାଇମ୍‌ବ୍ରାଞ୍ଚ ଫେସ୍‌ବୁକ୍‌କୁ ଲଗ୍‌-ଇନ୍‌ ଡିଟେଲ୍ସ ତଲବ କରିଛି। ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କର ତିନୋଟି ‌ଫୋନ୍‌ର ୧୦ ମାସର ସିଡିଆର(କଲ ରେକର୍ଡ) ମଧ୍ୟ ଯାଞ୍ଚ କରୁଛି।

ଗତକାଲି ଆଦିତ୍ୟଙ୍କର ବନ୍ଧୁ ବିକାଶ ଓ ଅନ୍ୟମାନେ ପିପୁଲ୍ସ ଫର ସେବା ଅନୁଷ୍ଠାନ ନିକଟରେ ଛିଡ଼ା ହୋଇ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଆରପି ଭଳି କ୍ରାଇମ୍‌ବ୍ରା୍ଞ୍ଚ ମଧ୍ୟ ମୃତ୍ୟୁ ମାମଲାର ଶେଷରେ ପହଞ୍ଚି ପାରୁ ନଥିବାରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ‌) ଏହାର ତଦନ୍ତ କରୁ ବୋଲି ଦାବି କରିଥିଲେ। ପିପୁଲ୍ସ ଫର ସେବାର କେତେକ ଅନ୍ତେବାସୀ ମଧ୍ୟ ଅନୁରୂପ ଦାବି ଉଠରାଇଥିଲେ।



from ରାଜ୍ୟ – Sambad https://ift.tt/2Y4H73P

Post a Comment

0 Comments