ପ୍ରବାସୀ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇବାକୁ ବିଭାଗର ଉଦ୍ୟମ : ବନ ପ୍ରକଳ୍ପ ବାବଦରେ ଜଙ୍ଗଲ ବିଭାଗ ଖର୍ଚ୍ଚ କରିବ ୬୦୨ କୋଟି

ଭୁବନେଶ୍ବର : ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ୬୦୨ କୋଟି ଟଙ୍କାର ବନ ପ୍ରକଳ୍ପ କାର୍ଯ୍ୟକାରୀ କରିବ। ଆଜି ମହାତ୍ମାଗାନ୍ଧୀ ନରେଗା (ମନରେଗା) ସଂଯୋଜନ କମିଟି ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ଦେଇଛି। ପ୍ରଥମ ଥର ପାଇଁ ଚଳିତବର୍ଷ ଏହି ଅର୍ଥରେ ଜଙ୍ଗଲ ରାସ୍ତା ମରାମତି କରିବା ପାଇଁ ସ୍ଥିର କରାଯାଇଛି। ଏହାସହିତ ୪୦ ହଜାର ହେକ୍ଟର ପରିମିତ ଅଞ୍ଚଳରେ ଚାରା ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ମନରେଗା ଯୋଜନାରେ ଜଙ୍ଗଲ ବୃଦ୍ଧି, ଜୈବ ବିବିଧତା ଓ ଜୈବ ମଣ୍ଡଳର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ଚଳିତବର୍ଷ କୋଭିଡ୍‌ ମହାମାରୀ ସମୟରେ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକମାନଙ୍କୁ କାମ ଧନ୍ଦା ଓ ଜୀବିକା ଯୋଗାଇ ଦେବା ଦିଗରେ ରାଜ୍ୟ ଜଙ୍ଗଲ ବିଭାଗ ଏପରି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି।

ଏହି କାର୍ଯ୍ୟକ୍ରମରେ ସମସ୍ତ ହିତାଧିକାରୀଙ୍କୁ ୩ କୋଟି ୫୦ ଲକ୍ଷ ଚାରା ବଣ୍ଟନ କରାଯିବ। ଚାରା ରୋପଣ ପାଇଁ ୫ ହଜାର ଧାଡ଼ି କିଲୋମିଟର ବୃକ୍ଷ ରୋପଣ କରାଯିବ। ୨୦୨୦ ଅଗଷ୍ଟ ୧୫ ତାରିଖ ସୁଦ୍ଧା ରାଜ୍ୟରେ ୧୭ ହଜାର ୩୪୦ ହେକ୍ଟର ପରିମିତ ଅଞ୍ଚଳରେ ଚାରାରୋପଣ, ୨ ହଜାର ୬୮୭ ଧାଡ଼ି କିଲୋମିଟର ବୃକ୍ଷ ରୋପଣ ଓ ୫୮ ଲକ୍ଷ ଚାରା ବଣ୍ଟନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏବେସୁଦ୍ଧା ଏ ବାବଦରେ ମୋଟ ୬୫ କୋଟି ଟଙ୍କା ବିନିଯୋଗ ହେବା ସହ ୩୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇପାରିଛି। ଗତ ଆର୍ଥିକ ବର୍ଷରେ ବନ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ଜଙ୍ଗଲ ବିଭାଗ ସମୁଦାୟ ୮୬ କୋଟି ଟଙ୍କା ବିନିଯୋଗ କରିଥିଲା।



from ରାଜ୍ୟ – Sambad https://ift.tt/34pzvgb

Post a Comment

0 Comments