
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ନୂତନ ଅଧୀକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଡ.ଭାଗ୍ୟଲିପି ମଲ୍ଲ। ପଦୋନ୍ନତି ପାଇ ସେ ଏହି ପଦବିରେ ଅବସ୍ଥାପିତ ହୋଇଛନ୍ତି। ଡ.ମଲ୍ଲ ଲଣ୍ଡନର ଭିକ୍ଟୋରିଆ ଆଲବର୍ଟ ମ୍ୟୁଜିୟମ, ଦିଲ୍ଲୀର ନ୍ୟାସନାଲ ମ୍ୟୁଜିୟମରୁ ମ୍ୟୁଜୋଲୋଜିରେ ତାଲିମ ନେବା ସହ ଲକ୍ଷ୍ନୌର ଏନ୍ଆର୍ଏଲ୍ସିରୁ ସାଂସ୍କୃତିକ ସମ୍ପଦର ସଂରକ୍ଷଣ ଏବଂ ଏନ୍ଆର୍ଡିଏମ୍ ନୂଆଦିଲ୍ଲୀରୁ ସାଂସ୍କୃତିକ ସମ୍ପଦର ପ୍ରାକୃତିକ ବିପର୍ଯ୍ୟୟ ନିୟନ୍ତ୍ରଣ ଉପରେ ତାଲିମ୍ ନେଇଛନ୍ତି। ତାଙ୍କର ଏହି ଦୀର୍ଘ ଅଭିଜ୍ଞତାକୁ ଉପଯୋଗ କରି ସଂଗ୍ରହାଳୟକୁ ବିଶ୍ବସ୍ତରୀୟ କରିବାକୁ ଉଦ୍ୟମ କରିବେ ବୋଲି କାର୍ଯ୍ୟଭାର ଗ୍ରହଣ ଅବସରରେ କହିଛନ୍ତି।
ଡ.ମଲ୍ଲ ଇତିହାସ, ସଂସ୍କୃତ ଓ ଓଡ଼ିଆରେ ସ୍ନାତକୋତ୍ତର ଓ ଡକ୍ଟରେଟ୍ ଡିଗ୍ରି ହାସଲ କରିଛନ୍ତି। ସଂଗ୍ରହାଳୟ ସମ୍ପର୍କିତ ପୁସ୍ତକ ‘ମ୍ୟୁଜିୟମସ ଅଫ୍ ଓଡ଼ିଶା’, ଶ୍ରୀଜୟଦେବ ଆଣ୍ଡ୍ ଗୀତଗୋବିନ୍ଦ, ଉଷା ଅଭିଳାଷ ଓ ଡେସ୍କ୍ରିପ୍ଟିଭ କାଟାଲଗ୍ ଅଫ୍ ଇଲୁଷ୍ଟ୍ରେଟେଡ୍ ମାନୁସ୍କ୍ରିପ୍ଟ ଭଳି ପୁସ୍ତକ ରଚନା କରିଛନ୍ତି। ଦାୟିତ୍ବ ଗ୍ରହଣ ଅବସରରେ ସେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ନିର୍ଦେଶକ ବିଜୟ ନାୟକଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି।
ରାଜ୍ୟ ସଂଗ୍ରହାଳୟ ସମେତ କଟକସ୍ଥିତ ଆନନ୍ଦ ଭବନ ସଂଗ୍ରହାଳୟକୁ ‘ଭର୍ଚୁଆଲ ସଂଗ୍ରହାଳୟ’ରେ ପରିଣତ କରିବା ନେଇ ମନ୍ତ୍ରୀ ପ୍ରସ୍ତାବ ଦେଇଥିବା ବେଳେ ଏହା ତାଙ୍କର ପ୍ରାଥମିକ ଲକ୍ଷ୍ୟ ହେବ ବୋଲି ଡ.ମଲ୍ଲ କହିଛନ୍ତି। ଏଥିସହ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀଙ୍କୁ ନେଇ ଏକ ଗ୍ୟାଲେରି ସମେତ ମୋଟ ୩ଟି ଗ୍ୟାଲେରି ସ୍ଥାପନ ହେବ ବୋଲି ସେ ସୂଚନା ଦେଇଛନ୍ତି। ବିଭିନ୍ନ ଜିଲ୍ଲାରେ ଥିବା ଜିଲ୍ଲାସ୍ତରୀୟ ସଂଗ୍ରହାଳୟଗୁଡ଼ିକ ପ୍ରତି ମଧ୍ୟ ଧ୍ୟାନ ଦେବେ ବୋଲି କହିଛନ୍ତି।
from ରାଜ୍ୟ – Sambad https://ift.tt/3ameFiO
0 Comments