ଗିରଫ ଭୟରେ ନିଜ ମା’କୁ ୧୯ ଘଣ୍ଟା ମୁଣ୍ତ ଜାମିନ୍‌ ରଖିଲା ଯୁବକ

ପିପିଲି : ପିପିଲି ଥାନା ଲକ୍ଷ୍ମୀନାରାୟଣପୁର ଗାଁରେ ରବିବାର ରାତିରେ ବଡ଼ଭାଇକୁ ସାନଭାଇ ମରଣାନ୍ତକ ଆକ୍ରମଣ କରିବା ପରେ ଗିରଫ ଭୟରେ ନିଜ ମା’କୁ ମୁଣ୍ତଜାମିନ ରଖିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟାଇଥିବା ଯୁବକ ହେଉଛି ଉକ୍ତ ଗାଁର ଦିଲୀପ ରଥ। ଏଥିପାଇଁ ପୁଲିସ ରବିବାର ରାତିଠାରୁ ସେହି ଘର ବାହାରେ ଜଗି ରହିଥିବାବେଳେ ଦିଲୀପ କବାଟ ନ ଖୋଲିବା ଯୋଗୁ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଆଜି ଅପରାହ୍ଣ ପ୍ରାୟ ୫ଟାବେଳେ ସ୍ଥାନୀୟ ସରପଞ୍ଚ ଶୁଭାଶିଷ ରଥ ଦିଲୀପକୁ ଜମିଜମା ବିବାଦର ସମାଧାନ ପ୍ରସ୍ତାବ ଦେବା ପରେ ଦିଲୀପ କବାଟ ଖୋଲି ବାହାରକୁ ଆସିଥିଲା। ଏହାପରେ ସେଠାରେ ଥିବା ପିପିଲି ଥାନା ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ଦିଲୀପଙ୍କୁ ପିପିଲି ଥାନାକୁ ଆଣି ପଚରାଉଚୁରା ଜାରି ରଖିଛନ୍ତି।

ସାରେ, ଲକ୍ଷ୍ମୀ ନାରାୟଣପୁର ଗାଁ ଅନ୍ତର୍ଗତ ରଥସାହିର ନିରଞ୍ଜନ ରଥ ଓରଫ ନିଲୁ(୫୦) ଓ ତାଙ୍କ ଅବିବାହିତ ସାନଭାଇ ଦିଲୀପ ରଥ ଓରଫ ଦିଲୁ(୪୨)ଙ୍କ ମଧ୍ୟରେ ଜମି ବଣ୍ଟାକୁ ନେଇ ଦୀର୍ଘ ବର୍ଷ ହେଲା ଗଣ୍ତଗୋଳ ଲାଗି ରହିଥିଲା। ଗତକାଲି ରାତି ପ୍ରାୟ ସାଢେ ନଅଟା ବେଳେ ଏହା ଉଗ୍ର ରୂପ ନେଇଥିଲା। ଦିଲୀପର ମୁଣ୍ତକୁ ରକ୍ତ ଚଢିଯାଇଥିଲା। ସେ ଏକ ଛୁରୀ ବଡଭାଇ ନିରଞ୍ଜନଙ୍କ ପେଟରେ ଭୁସି ଦେଇଥିଲା। ନିରଞ୍ଜନଙ୍କ ସ୍ତ୍ରୀ ତଥା ଆକ୍ରମଣକାରୀ ଦିଲୀପଙ୍କ ଭାଉଜ ଝରଣାରାଣୀ(୪୫) ମଧ୍ୟ ଆକ୍ରମଣରେ ଗୁରୁତର ହୋଇଥିଲେ। ପ୍ରବଳ ପାଟିତୁଣ୍ତ ଶୁଣି ପଡିଶା ଲୋକେ ସେଠାରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦମ୍ପତିଙ୍କୁ ବାଳକାଟି ଡାକ୍ତରଖାନାକୁ ନେଇଥିଲେ। ପରେ ସେମାନଙ୍କୁ କ୍ୟାପିଟାଲ ହସପିଟାଲ ଓ ଅଧିକ ଚିକିତ୍ସା ପାଇଁ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ମରଣାନ୍ତକ ଆକ୍ରମଣ କରିବା ପରେ ଦିଲୀପ ନିଜ ମା’ ମାଣିକ ରଥ(୭୦)ଙ୍କୁ ନେଇ ନିଜେ ଏକ ଘର ମଧ୍ୟରେ ପଶିଯାଇ ଭିତରୁ କବାଟ ବନ୍ଦ କରି ରହିଯାଇଥିଲା। ପୁଲିସ ପହଞ୍ଚି କବାଟ ବାଡେଇବାରେ କେହି ବି ପାଖକୁ ଆସିଲେ ମା’ଙ୍କୁ ମାରିଦେବା ସହ ନିଜେ ମରିଯିବ ବୋଲି ଚେତାବନୀ ଦେଇଥିଲା। ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ସମେତ ଅନ୍ୟ ଅଧିକାରୀମାନେ ପହଞ୍ଚି କବାଟର ଏକ ଫାଙ୍କ ବାଟେ ଦିଲୀପ ସହିତ କଥାହେବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ ଅଧିକ କଠୋର ହୋଇପାରି ନଥିଲା। ଗତକାଲି ରାତି ଠାରୁ ପୁଲିସ ଫୋର୍ସ ସେହି ଘରକୁ ଜଗି ରହିଥିଲା।



from ରାଜ୍ୟ – Sambad https://ift.tt/2Dxishv

Post a Comment

0 Comments