ଭାରତ ସରକାରଙ୍କ ଉଦ୍ୟମ ଓଡ଼ିଶାରେ ପର୍ଯ୍ୟଟନକୁ ବିକଶିତ କରିବ : ଧର୍ମେନ୍ଦ୍ର

ଭୁବନେଶ୍ୱର : ଓଡ଼ିଶା ବିଭିନ୍ନ ପ୍ରକାରର ଜୈବ ବିବିଧତା ସହ ଦେଶରେ ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳୀ ହେବାର କ୍ଷମତା ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ସଂରକ୍ଷଣ ପାଇଁ ଉଦ୍ୟମ ଏବଂ ଜୈବ-ବିବିଧତାକୁ ସଶକ୍ତ କରିବାର ପ୍ରଚେଷ୍ଟା ରାଜ୍ୟରେ ପର୍ଯ୍ୟଟନକୁ ବ୍ୟାପକ ଓ ବିକଶିତ କରିବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମୋଦୀ ସରକାର ବନ୍ୟଜନ୍ତୁ ସଂରକ୍ଷଣ ଓ ଜଙ୍ଗଲ ସୁରକ୍ଷା ପାଇଁ ନେଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ସହାବସ୍ଥାନ ଭାରତର ସାଂସ୍କୃତିକ ବୈଶିଷ୍ଟ୍ୟର ଏକ ଅଙ୍ଗ ଭାବେ ରହି ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଜୈବ ବିବିଧତା ସଂରକ୍ଷଣ ପ୍ରତି ଅଧିକ ସମ୍ବେଦନଶୀଳ ଏବଂ ଏହାର ପ୍ରୋତ୍ସାହନ ଓ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଉଦ୍ଭିଦ ଓ ଜୀବଜନ୍ତୁଙ୍କ ସମ୍ଭାରରେ ପରିପୂର୍ଣ୍ଣ ଭାରତ ବିଶ୍ୱର ଜୈବ ବିବିଧତାର ପ୍ରାୟ ୭ ରୁ ୮ ପ୍ରତିଶତ ଅଟେ। ବନ୍ୟଜନ୍ତୁ ଓ ଜୈବ ବିବିଧତାର ସଂରକ୍ଷଣ, ପରିଚାଳନା ତଥା ସୁରକ୍ଷା ସମ୍ବନ୍ଧରେ ଭାରତ ଅନେକ ପ୍ରମୁଖ ଆନ୍ତର୍ଜାତିକ ସମ୍ମିଳନୀରେ ଚୁକ୍ତି ସ୍ୱାକ୍ଷର କରିଛି। ଭାରତ ସରକାରଙ୍କ ବାଘ ପ୍ରକଳ୍ପ ସଫଳତାର ସହ ଦୁଇ ବର୍ଷ ମଧ୍ୟରେ ବାଘ ସଂଖ୍ୟାକୁ ଦୁଇ ଗୁଣା କରି କୃତିତ୍ୱ ହାସଲ କରିପାରିଛି। ଭାରତ ସରକାର କ୍ରମାଗତ ଭାବେ ସନ୍ତସନ୍ତିଆ ଅଞ୍ଚଳ ଓ ବିଲୁପ୍ତପ୍ରାୟ ପ୍ରଜାତିଗୁଡ଼ିକର ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅପାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡ଼ିଶା ପୂର୍ବ ଭାରତର ଜୈବ ବିବିଧତା ହଟ୍‌ସ୍ପଟ୍‌ ମଧ୍ୟରୁ ଅନ୍ୟତମ। ଶିମିଳିପାଳ ଅଭୟାରଣ୍ୟ, ଗନ୍ଧମାର୍ଦ୍ଦନ ପର୍ବତ, ଚିଲିକା, ଭିତରକନିକା ଓ ଦେଓମାଳୀ ପର୍ବତରେ ୨୭୦୦ରୁ ଅଧିକ ପ୍ରଜାତିର ପ୍ରାଣୀ ବାସ କରନ୍ତି। ନଦୀ କୂଳ ଅଞ୍ଚଳର ଇକୋସିଷ୍ଟମ ପରିବେଶ ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ଦିଗକୁ ସୂଚିତ କରେ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଡଲ୍‌ଫିନ୍ ପ୍ରକଳ୍ପ ସାମୁଦ୍ରିକ ପରିସଂସ୍ଥାନ ସଂରକ୍ଷଣର ଉଦ୍ୟମକୁ ପୁନରୁଦ୍ଧାର କରିବା ସହ ଓଡ଼ିଶାର ଇରୱାଡି ଡଲ୍‌ଫିନ୍‌ ଏବଂ ଅଲିଭ୍ ରିଡ୍‌ଲେ କଇଁଛଙ୍କ ପାଇଁ ବରଦାନ ସଦୃଶ ହେବ। ଉତ୍ସର୍ଗୀକୃତ ବୃକ୍ଷରୋପଣ କାର୍ଯ୍ୟ ଯୋଗୁ ଓଡ଼ିଶାରେ ଦ୍ରୁତ ଗତିରେ ଜଙ୍ଗଲ ସଂଖ୍ୟା ବୃଦ୍ଧି ପାଇଛି । ଓଡ଼ିଶାରେ ସବୁଜ ବଳୟକୁ ବୃଦ୍ଧି କରିବା ପାଇଁ ଭାରତ ସରକାର ଅଭୂତପୂର୍ବ ସମର୍ଥନ ଦେଇଛନ୍ତି। ଗତ ଥର କାମ୍ପା ପାଣ୍ଠି ଅଧୀନରେ କେନ୍ଦ୍ର ସରକାର ବୃକ୍ଷରୋପଣ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶାକୁ ୫୯୩୩.୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସଂରକ୍ଷଣ, ସ୍ଥାୟୀ ଜୀବନଶୈଳୀ, ସବୁଜ ଅର୍ଥନୀତି ମଡେଲ୍ ନିର୍ମାଣର ମୂଲ୍ୟ ଆଧାରରେ ଭାରତ ଜଳବାୟୁ କ୍ରିୟାରେ କୃତିତ୍ୱ ହାସଲ କରିଛି। ପରିବେଶକୁ କ୍ଷତି ନ ପହଞ୍ଚାଇ ସ୍ଥିର ବିକାଶ ଓ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ଦିଗରେ ମୋଦୀ ସରକାର ବିଶ୍ୱାସ କରନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।



from ରାଜ୍ୟ – Sambad https://ift.tt/2Qvf5dw

Post a Comment

0 Comments