କୃଷ୍ଣ-ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ , ଆଜି ସାତପୁରୀ ତାଡ଼ ବିଜେ

ପୁରୀ : ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ତଥା ବାଲ୍ୟଲୀଳାର ଅନ୍ତିମ ବେଶ କୃଷ୍ଣ-ବଳରାମ ବେଶରେ ଶ୍ରୀଜିଉ ଦର୍ଶନ ଦେଇଛନ୍ତି। ଏଥି ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଯାଇଛି। ଗୌଡ଼ବାଡ଼ ସାହି ପକ୍ଷରୁ ଶ୍ରୀକୃଷ୍ଣ ଲୀଳା ପରିବେଷଣ କରାଯାଇଛି। ପରମ୍ପରା ଅନୁଯାୟୀ, ଆଜି ମଧ୍ୟାହ୍ନ ଧୂପ ପରେ ଏହି ନୀତି ଆରମ୍ଭ ହୋଇଥିଲା। ସଂଧ୍ୟାଧୂପ ବଢ଼ିବା ସହ ତିନି ଠାକୁର ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁ୍ଭଦ୍ରାଙ୍କ ଶୃଙ୍ଗାର କରାଯାଇଥିଲା। ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣ ବେଶରେ ଦର୍ଶନ ଦେଇଥିଲେ। ସେହି ଭଳି ବଡ଼ ଠାକୁର ବଳଭଦ୍ର ବଳରାମ ବେଶରେ ଦର୍ଶନ ଦେଇଥିଲେ। ମା’ ସୁଭଦ୍ର ଚତୁର୍ଭୁଜା ବେଶରେ ଦର୍ଶନ ଦେଇଥିଲେ। ଚାରିଭୁଜରେ ବିଭିନ୍ନି ଆୟୁଧ ସାଙ୍ଗକୁ ପଦ୍ମାସନରେ ବସିଥିଲେ ମା’। ବିଭିନ୍ନ ଅଳଙ୍କାରରେ ଶ୍ରୀଜୀଉଙ୍କୁ ବିଭୂଷିତ କରାଯିବା ସହ ଖିରି, ଅମ୍ବାଲୁ ଆଦି ଲାଗି କରାଯାଇଥିଲା। ଅନ୍ୟପଟେ ଆସନ୍ତାକାଲି ମା’ ଆଲାମଚଣ୍ଡୀଙ୍କ ମନ୍ଦିରରୁ ସପ୍ତପୁରୀ ତାଡ଼ ଶ୍ରୀମନ୍ଦିରକୁ ବିଜେ କରାଯିବ। ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ ଏହି ତାଡ଼ ଆଣିବା ପାଇଁ ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରତିନିଧି ଦଳ ଆଲାମଚଣ୍ଡୀ ମନ୍ଦିରକୁ ଯିବେ।



from ରାଜ୍ୟ – Sambad https://ift.tt/3g9ScXs

Post a Comment

0 Comments