
ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ପ୍ରଥମ କରୋନା ଯୋଦ୍ଧା ଭାବେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ଘଟିଛି। ବୁର୍ଲା ଭିସୁଟ୍ସ୍ଥିତ ପୁଲହ ଛାତ୍ରାବାସରେ ଚାଲିଥିବା କୋଭିଡ୍ ପ୍ରଯତ୍ନ କେନ୍ଦ୍ରରେ ଏହି କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ରେଙ୍ଗାଲି ଥାନାରେ କାର୍ଯ୍ୟରତ ଜଣେ ପୁଲିସ୍ କନେଷ୍ଟବଳ(୫୩) ବୋଲି ଜଣାପଡ଼ିଛି। ସକାଳୁ ଖବର ପାଇ ଉତ୍ତରାଞ୍ଚଳ ପୁଲିସ୍ ରେଞ୍ଜ ଡିଆଇଜି ଜୟନାରାୟଣ ପଙ୍କଜ, ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା, ଏସ୍ପି କନୱର ବିଶାଳ ସିଂହ, ପିଡି ଡିଆର୍ଡିଏ ସୁକାନ୍ତ ତ୍ରିପାଠୀ ପହଞ୍ଚି ମୃତ କନେଷ୍ଟବଳଙ୍କ ଶେଷ ଦର୍ଶନ କରିବା ସହ ଉକ୍ତ କୋଭିଡ୍ ପ୍ରଯତ୍ନ କେନ୍ଦ୍ର ସମ୍ମୁଖରେ ହିଁ ତାଙ୍କୁ ଶେଷ ସମ୍ମାନ ପ୍ରଦାନ କରିଥିଲେ। ମୃତଦେହକୁ ତାଙ୍କର ସୁନ୍ଦରଗଡ଼ସ୍ଥିତ ପୈତୃକ ଗ୍ରାମକୁ ନିଆଯିବା ପରେ ସେଠାରେ ତାଙ୍କର ଶେଷକୃତ୍ୟ କରାଯାଇଥିବା ଜଣାପଡ଼ିଛି। ପୁଲିସ୍ ବିଭାଗ ପକ୍ଷରୁ ପ୍ରାଥମିକ ଭାବେ ତାଙ୍କ ପରିବାରକୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଏହି କନେଷ୍ଟବଳ ତାଙ୍କର ସ୍ତ୍ରୀ ଓ ୩ଟି ଝିଅଙ୍କୁ ନେଇ ସମ୍ବଲପୁର ସାକ୍ଷୀପଡ଼ାରେ ରହୁଥିଲେ। ୭ଦିନ ହେବ ଉକ୍ତ କନେଷ୍ଟବଳ ଗୃହାବଦ୍ଧରେ ରହିଥିବା ସମୟରେ ସୋମବାର ଅପରାହ୍ଣ ୪ଟାରେ ତାଙ୍କ ଅବସ୍ଥା ହଠାତ୍ ଗୁରୁ୍ତର ହୋଇପଡ଼ିଥିଲା। ପରିବାର ଲୋକେ ତାଙ୍କୁ ନେଇ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଆଣ୍ଟିଜେନ୍ ପରୀକ୍ଷା ପରେ ପ୍ରଥମେ ତାଙ୍କୁ କରୋନା ନେଗେଟିଭ୍ ଥିବା ନେଇ କୁହାଯାଇଥିଲା। ପରିବାର ଲୋକେ ଓ ସହକର୍ମୀମାନେ ତାଙ୍କୁ ନେଇ ୱାର୍ଡ ଭିତରକୁ ଯିବା ସମୟରେ ପୁଣିଥରେ ସେଠାରୁ ତାଙ୍କୁ ଡକାଯାଇ ରିପୋର୍ଟ ପଜିଟିଭ୍ ଥିବା କୁହାଯାଇଥିଲା। ତେବେ ଉକ୍ତ କନେଷ୍ଟବଳଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ସତ୍ତ୍ବେ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ନ ଥିଲା। ବରଂ ତାଙ୍କୁ ବିନା ଚିକିତ୍ସାରେ କୋଭିଡ୍ ପ୍ରଯତ୍ନ କେନ୍ଦ୍ରରେ ଭର୍ତ୍ତି କରି ଦିଆଯାଇଥିଲା। ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବାର ନିୟମ ରହିଥିବା ସମୟରେ କିଭଳି ଉକ୍ତ କନେଷ୍ଟବଳଙ୍କୁ କୋଭିଡ୍ ପ୍ରଯତ୍ନ କେନ୍ଦ୍ରରେ ଭର୍ତ୍ତି କରାଗଲା ତାହା ସମସ୍ତଙ୍କୁ ଆଚମ୍ବିତ କରିଥିଲା। ଉକ୍ତ କନେଷ୍ଟବଳଙ୍କ ଅବସ୍ଥା ଗୁରୁତର ଥିବା ଏବଂ ତାଙ୍କର ଭେଣ୍ଟିଲେଟର ଆବଶ୍ୟକତା ରହିଥିବା ନେଇ ପୁଲିସ୍ ପକ୍ଷରୁ ପ୍ରଶାସନକୁ ଅନୁରୋଧ କରାଯାଇଥିଲେ ମଧ୍ୟ ବିଳମ୍ବିତ ରାତି ଯାଏ ତାଙ୍କୁ ଅକ୍ସିଜେନ୍ ବି ମିଳିପାରି ନ ଥିଲା। ଶେଷରେ ରାତି ପ୍ରାୟ ଅଢ଼େଇଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
ଗତ ସପ୍ତାହରେ ସମ୍ବଲପୁର ଜିଲ୍ଲାର ଏକ ଥାନାର ୨ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସି ଏହି କନେଷ୍ଟବଳ କରୋନା ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି। ଗତ ୪ ତାରିଖରେ ସେ ଅସୁସ୍ଥ ଥିବା ନେଇ ଦର୍ଶାଇବା ପରେ ତାଙ୍କୁ ଗୃହାବଦ୍ଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ସେ ଡାକ୍ତରଖାନା ଯାଇ ଜ୍ବର ଔଷଧ ନେଇ ଆସିଥିଲେ। ୨ ଦିନ ପରେ ତାଙ୍କ ଜ୍ବର ସମ୍ପୂର୍ଣ୍ଣ ଭଲ ହୋଇଯାଇଥିଲା। ମାତ୍ର କାଶ ଓ ଛିଙ୍କ ଆରମ୍ଭ ହୋଇଯାଇଥିଲା। ଲକ୍ଷଣ ଥିବାରୁ ଗତ ୭ ତାରିଖରେ ସେ ଯାଇ ଅଇଁଠାପାଲିସ୍ଥିତ ଡାକ୍ତରଖାନାରେ ପୁଣିଥରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ସ୍ବାବ୍ ଦେଇ ଆସିଥିଲେ। ଏହାପରଠାରୁ ତାଙ୍କ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେବା ସହ ସେ ଆଉ କଥା କହିପାରୁ ନ ଥିଲେ। ସୋମବାର ଦିନ ପ୍ରାୟ ୩ଟା ସମୟରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି କରୋନା ଯୋଦ୍ଧାଙ୍କ ଚିକିତ୍ସା ଠିକ୍ ଭାବେ କରାଯାଇଥିଲେ ହୁଏତ ଜୀବନ ବଞ୍ଚିଯାଇ ପାରିଥାନ୍ତା ବୋଲି କୁହାଯାଉଛି।
from ରାଜ୍ୟ – Sambad https://ift.tt/3gORHTL
0 Comments