ବେରୁଟ୍‌ ବିସ୍ଫୋରଣ ପରେ ସବୁ ଫ୍ୟାକ୍ଟ୍ରିକୁ ସତର୍କ କଲେ ସରକାର : ଦହନଶୀଳ ଓ ବିସ୍ପୋରକ ସାମଗ୍ରୀର ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଗତ ୪ ତାରିଖରେ ଲେବାନନ୍‌ ରାଜଧାନୀ ବେରୁଟ୍‌ର ଗୋଟିଏ ଓ୍ବେୟାର୍‌ ହାଉସରେ ବଡ଼ ଧରଣର ବିସ୍ଫୋରଣ ଯୋଗୁଁ ୭୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ଏହି ଭୟଙ୍କର ଦୁର୍ଘଟଣା ପରେ ଓଡ଼ିଶାରେ ଥିବା ସମସ୍ତ ଫ୍ୟାକ୍ଟ୍ରି ଓ କମ୍ପାନିକୁ ସତର୍କ କରାଇଛନ୍ତି ରାଜ୍ୟ ସରକାର। ରାଜ୍ୟର କେଉଁ କାରଖାନାରେ କେତେ ପରିମାଣର ଦହନଶୀଳ ଓ ବିସ୍ଫୋରକ ସାମଗ୍ରୀ ଅଛି ଓ ସେସବୁର ସୁରକ୍ଷା ପାଇଁ କଣ ପଦକ୍ଷେପ ନିଆଯାଇଛି, ସେ ନେଇ ରିପୋର୍ଟ ଦେବାକୁ ଓଡ଼ିଶା ସରକାରଙ୍କ ଫ୍ୟାକ୍ଟ୍ରି ଓ ବଏଲର୍‌ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି। ସେହିପରି ପାରାଦୀପରେ ଥିବା ସାର କାରଖାନା ଓ ବନ୍ଦରରେ ଥିବା ଭଣ୍ଡାର ଘରେ ଯଦି ଏସବୁ ସାମଗ୍ରୀ ରହୁଥାଏ, ତାହେଲେ ସେସବୁର ସୁରକ୍ଷା ଅଡିଟକୁ କଡ଼ାକଡ଼ି କରାଯିବ ବୋଲି ସ୍ଥିର କରାଯାଇଛି।

ଆମୋନିୟମ୍‌ ନାଇଟ୍ରେଟ୍‌ ପରି ବିସ୍ଫୋରକ ସାମଗ୍ରୀ ଯୋଗୁଁ ବେରୁଟ୍‌ରେ ଏପରି ଭୟଙ୍କର ବିସ୍ପୋରଣ ଘଟିଲା ବୋଲି ଚର୍ଚ୍ଚା ହେଉଛି। ଏହି ବିସ୍ପୋରକ ସାମଗ୍ରୀ ପାରାଦୀପରେ ଥିବା ପିପିଏଲ୍‌ ଓ ଇଫ୍‌କୋ ସାର କାରଖାନାରେ ସାର ଉତ୍ପାଦନ ପାଇଁ ବ୍ୟବହୃତ ହୋଇଥାଏ। ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ରଙ୍କ କହିବାନୁଯାୟୀ, ପାରାଦୀପରେ ଥିବା ପିପିଏଲ୍‌, ଇଫ୍‌କୋ ସାର କାରଖାନା ସମେତ ଭାରତୀୟ ତୈଳ ନିଗମର ତୈଳ ବିଶୋଧନାଗାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ଅଡିଟ୍‌ ନିୟମିତ ଯାଞ୍ଚ କରାଯାଇଥାଏ। ଗତମାସରେ ପିପିଏଲ୍‌ କାରଖାନାରେ କରାଯାଇଥିଲା। ଆସନ୍ତା ସପ୍ତାହରେ ଇଫ୍‌କୋ କାରଖାନାରେ ସୁରକ୍ଷା ଅଡିଟ୍‌ କରାଯିବ। ବେରୁଟ୍‌ ଦୁର୍ଘଟଣା ପରେ ଜିଲ୍ଲାରେ ଥିବା ଫ୍ୟାକ୍ଟ୍ରିଗୁଡ଼ିକରେ ଅଗ୍ନିଶମ ବ୍ୟବସ୍ଥା ଓ ବିସ୍ଫୋରକ ନିରୋଧୀ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।



from ରାଜ୍ୟ – Sambad https://ift.tt/3kI4XMn

Post a Comment

0 Comments