
ଜାନୁଆରିରୁ ମେ’ ମଧ୍ୟରେ ୩୨% ଦୁର୍ଘଟଣା କମିଛି
ଅଧିକାଂଶ ମୃତକ ଦୁଇଚକିଆ ଯାନ ଚାଳକ
ଭୁବନେଶ୍ୱର : ସାରା ରାଜ୍ୟରେ ଏପ୍ରିଲ ଓ ମେ ମାସରେ ସଟ୍ଡାଉନ୍ ଓ ଲକ୍ଡାଉନ୍ ଘୋଷଣା ହୋଇଥିଲା। ଏଥିରେ ଲୋକଙ୍କୁ କାମ ନଥିଲେ ଘରୁ ନବାହାରିବାକୁ କୁହାଯାଇଥିଲା। ଏପରିକି ଯିଏ ଗାଡ଼ି ଧରି ହାଟ ବଜାର ଆସୁଥିଲେ ସେମାନଙ୍କ ଠାରୁ ପୁଲିସ ଜରିମାନା ଆଦାୟ କରୁଥିଲା। ଏସବୁ ସତ୍ତ୍ବେ ବି ଦୁଇ ମାସରେ ୩୬୦ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
ନିକଟରେ ରାଜ୍ୟ ସରକାରଙ୍କର ସଡ଼କ ସୁରକ୍ଷା ଆକ୍ସନ ପ୍ଲାନ୍ ନେଇ ବସିଥିବା ବୈଠକରୁ ଜଣାପଡ଼ିଛି ଯେ ଗତବର୍ଷ ଜାନୁଆରିରୁ ମେ ମାସ ମଧ୍ୟରେ ରାଜ୍ୟରେ ଯେତିକି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିଲା ଚଳିତବର୍ଷ ଏହି ସମୟରେ ୩୨% କମ୍ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି। ହେଲେ କେବଳ ଏପ୍ରିଲ ଓ ମେ ମାସରେ ବିଭିନ୍ନ ସଡ଼କ ଦୁର୍ଘଟଣାରେ ୩୬୦ଜଣଙ୍କର ମୃତ୍ୟୁ ହୋଇଛି। ଆଶ୍ଚର୍ଯ୍ୟର ବିଷୟ ଏଥିରୁ ଅଧିକାଂଶ ଦୁଇ ଚକିଆ ଯାନ ଦୁର୍ଘଟଣା ଜନିତ ମୃତ୍ୟୁ। କିଏ ବାଇକ୍/ସ୍କୁଟି ଚଲାଉଥିଲେ କିମ୍ବା ଏଥିରେ ବସିକି ଯାଉଥିଲେ।
ରାଜ୍ୟ ସରକାର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ନେଇ ଆବଶ୍ୟକ ସଚେତନତା, ପ୍ରତିଷେଧକ ବ୍ୟବସ୍ଥା କରିନାହାନ୍ତି ନା ଲୋକ ସଚେତନ ହେଉନାହାନ୍ତି ସେନେଇ ବି ପ୍ରଶ୍ନ ଉଠିଛି। ପୂର୍ବରୁ ଯେତେ ଦୁର୍ଘଟଣା ହେଉଥିଲା ସେଥିରୁ ଅଧିକାଂଶ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ଜନିତ ଅର୍ଥାତ୍ ମଦ ପିଇ ଗାଡ଼ି ଚଳାଉଥିବାରୁ ଦୁର୍ଘଟଣାରେ ଲୋକଙ୍କର ମୃତ୍ୟୁ ହେଉଥିବା ରାଜ୍ୟ ସରକାର କହୁଥିଲେ। କିନ୍ତୁ ଏପ୍ରିଲ ଓ ମେ ମାସରେ ମଦ ଦୋକାନ ବନ୍ଦ ଥିବାବେଳେ କାହିଁକି ଦୁର୍ଘଟଣା ହେଲା ସେ ନେଇ କିଛି ଠୋସ୍ କାରଣ ସରକାରଙ୍କ ପାଖରେ ନାହିଁ।
ଲକ୍ଡାଉନ୍ ସମୟରେ ରାଜ୍ୟରେ ପୁଲିସ କେଉଁ ଦିନ କେତେ ଗାଡ଼ି ଚାଳକଙ୍କ ଠାରୁ ଜରିମାନା ଆଦାୟ କଲା ତା’ର ତାଲିକା ଦେଲା। ଲକ୍ ଡାଉନ୍ ସମୟରେ ବି ଦିନକୁ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଆଦାୟ କରି ଲୋକଙ୍କୁ ତାଗିଦ୍ କରୁଥିବା ପୁଲିସ ପକ୍ଷରୁ କୁହାଗଲା। ହେଲେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ କମା ଯାଇପାରିଲାନି।
ତେଣୁ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ କମାଇବା ପାଇଁ ରାଜ୍ୟ ସରକାର ପୁଲିସ ଡିଜି, ପରିବହନ କମିସନରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି। ଦୁଇ ଚକିଆ ଯାନରେ ଯେପରି ତିନି ଜଣ ବସିକି ଯିବେନି, ବେପରୁଆ ଡ୍ରାଇଭିଂ କରିବେନି, କୌଣସି ଗାଡ଼ି ଚାଳକ ବିନା ହେଲମେଟ୍ରେ ଗାଡ଼ି ଚଳାଇବେନି ସେନେଇ ଜରିମାନା ଆଦାୟକାରୀଙ୍କୁ ଟାର୍ଗେଟ୍ ଦେବାକୁ ନିଷ୍ପତ୍ତି ହୋଇଛି।
ଏହାବାଦ୍ ପରିବହନ ବିଭାଗ ପୁଲିସକୁ ଇଣ୍ଟରସେପ୍ଟର ଗାଡ଼ି ଦେଇ ଦ୍ରୁତି ଗାଡ଼ି ଚାଳକ ଉପରେ ନଜର ରଖିବାକୁ କୁହାଯାଇଛି। ପୁଲିସ ଏବେ କୋଭିଡ ପରିଚାଳନାରେ ବ୍ୟସ୍ତ ଥିବାରୁ ଆର୍ଟିଓ କର୍ମଚାରୀମାନେ ଜରିମାନା ଆଦାୟ କଡ଼ାକଡ଼ି କରିବାକୁ କୁହାଯାଇଛି।
ସେହିପରି କେଉଁ ଆର୍ଟିଓ କେଉଁ ଦିନ କେତେ ଜରିମାନା ଆଦାୟ କଲେ ତା’ର ସମୀକ୍ଷା କରିବ। ପରିବହନ କମିସନରଙ୍କ ଉପରେ ଅଧିକ ଚାପ ରହୁଥିବାରୁ ତୁରନ୍ତ ଅତିରିକ୍ତ କମିସନର (ପରିବହନ) ଏବଂ ଏନଫୋର୍ସମେଣ୍ଟ ଅଫିସର ପଦବି ତୁରନ୍ତ ପଦବି ପୂରଣ କରିବାକୁ ଗୃହ ବିଭାଗକୁ କୁହାଯାଇଛି।
ସେହିପରି ଅର୍ଥ ବିଭାଗ ଏବେ ନୂଆ ଯୋଜନା ଏବଂ ନୂଆ ସାମଗ୍ରୀ କିଣା ଉପରେ ରୋକ୍ ଲଗାଇଥିବାରୁ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସାମଗ୍ରୀ କିଣିବା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଅର୍ଥ ବିଭାଗର କଟକଣା ଲାଗୁ ହେବନି ବୋଲି ନିଷ୍ପତ୍ତି ହୋଇଛି।
from ରାଜ୍ୟ – Sambad https://ift.tt/30IyptM
0 Comments