ଆଜି ରାଜ୍ୟର ୭ ଜିଲ୍ଲାରେ ଅତିପ୍ରବଳ ବର୍ଷା

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋ‌ପସାଗର ଓ ସଂଲଗ୍ନ ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳେ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ଯାଏ ରାଜ୍ୟରେ ପ୍ରବଳ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଲଘୁଚାପର ପ୍ରଭାବ ଅଧିକ ରହିବ ଓ ରାଜ୍ୟର ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକ ହେଲା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ରାୟଗଡ଼ା ଓ ବଲାଙ୍ଗୀର।

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ସୃଷ୍ଟି ହୋଇଥିବା ଲଘୁଚାପ ବଳୟଟି ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ଅଞ୍ଚଳରେ ରହିଛି। ଯାହାକି ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ଉପରେ ରହିଛି। ଏହାଛଡ଼ା ବର୍ତ୍ତମାନ ମୌସୁମୀ ଟ୍ରଫ୍‌ ଫିରୋଜପୁରଠାରୁ ଦିଲ୍ଲୀ, ଫୁରସତ୍‌ଗଞ୍ଜ, ଅମ୍ବିକାପୁର ‌ଦେଇ ଦକ୍ଷିଣ-ପୂର୍ବ ମୁହାଁ ହୋଇ ଲଘୁଚାପ ବଳୟର କେନ୍ଦ୍ର ଦେଇ ଗତି କରୁଛି। ଏହାଛଡ଼ା ଆଉ ଏକ ଟ୍ରଫ୍‌ ଲାଇନ୍‌ ଦକ୍ଷିଣ-ପୂର୍ବ ରାଜସ୍ଥାନରୁ ଲଘୁଚାପର କେନ୍ଦ୍ର ପର୍ଯ୍ୟନ୍ତ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତାରେ ରହିଛି। ୧୦ ତାରିଖ ଦିନ ଲଘୁଚାପର ପ୍ରଭାବ ଅଧିକ ରହିବ।

MetWeather

ଏଥିସହ କନ୍ଧମାଳ, ବୌଦ୍ଧ, ନୟାଗଡ଼ ଓ ନୂଆପଡ଼ାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୧ ତାରିଖରେ ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟରେ, ୧୨ ତାରିଖ ଦିନ ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି ଓ କନ୍ଧମାଳ ଏବଂ ୧୩ରେ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ନୂଆପଡ଼ା, ନବରଙ୍ଗପୁର ଓ ଦେବଗଡ଼ରେ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ଏଣୁ ଏହି ୩ ଦିନ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବି‌ଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମୌସୁମୀ ଟ୍ରଫ୍‌ ଠିକ୍‌ ସ୍ଥାନରେ ରହିଥିବାରୁ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଏଥିସହ ଆସନ୍ତକାଲି ଅର୍ଥାତ ୧୦ ତାରିଖ ଦିନ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ମୌସୁମୀ ଟ୍ରଫ୍‌ ସହ ମିଶିଯିବ। ଏହାପର ଦିନ ମୌସୁମୀ ଟ୍ରଫ୍‌ ଆହୁରି ବିସ୍ତୃତ ହେବ ଓ ମୌସୁମୀ ଟ୍ରଫ୍‌ର ପୂର୍ବ ଭାଗରେ ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଫଳରେ ରାଜ୍ୟରେ ମୌସୁମୀ ଆହୁରି ଅଧିକ ସକ୍ରିୟ ହେବ। ଅନୁମାନ କରାଯାଉଛି ଯେ, ୯ ଓ ୧୦ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ରାଜ୍ୟର ଅନ୍ୟ ସ୍ଥାନରେ ସାମାନ୍ୟ ବର୍ଷା ହେବ। ୧୬ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗିରହିବ। ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୧୨ ଓ ୧୩ ତାରିଖରେ ଆଭ୍ୟନ୍ତରୀଣ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ।



from ରାଜ୍ୟ – Sambad https://ift.tt/31tTVl2

Post a Comment

0 Comments