
ଭଣ୍ତାରିପୋଖରୀ(୧) : ପୁଣି ଖାକିରେ କଳଙ୍କ ଛିଟା। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆଇଆଇସିଙ୍କ ଡ୍ରଗ୍ସ ମାଫିଆ ଲିଙ୍କ୍ ଚର୍ଚ୍ଚା ନ ଥମୁଣୁ ଏବେ ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ଆଇଆଇସି ଓ ଜଣେ ବାଲି ମାଫିଆଙ୍କ ମଧ୍ୟରେ କଥାବାର୍ତ୍ତାର ଅଡିଓ ସାର୍ବଜନୀନ ହୋଇଛି। ପୁଲିସ-ମାଫିଆ ସଂପର୍କ ପଦାକୁ ଆସିବା ପରେ ଭଦ୍ରକ ଏସ୍ପି ରାଜେଶ ପଣ୍ଡିତ ଭଣ୍ତାରିପୋଖରୀ ଥାନା ଆଇଆଇସି ସନାତନ ସାହୁଙ୍କୁ ତତକ୍ଷଣାତ୍ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି। ଏସ୍ଡିପିଓଙ୍କ ଦ୍ବାରା ଘଟଣାର ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ଶ୍ରୀ ପଣ୍ଡିତ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ଥାନା ଏସ୍ଆଇ ଅନୁରାଗ ମହାନ୍ତିଙ୍କୁ ବର୍ତ୍ତମାନ ଅସ୍ଥାୟୀ ଭାବେ ଥାନା ଅଧିକାରୀ ଦାୟିତ୍ବ ଦିଆଯାଇଛି।
ଭଣ୍ତାରିପୋଖରୀ ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ବିଭିନ୍ନ ଅଞ୍ଚଳରୁ ବାଲି ମାଫିଆମାନେ ପ୍ରତିଦିନ ବାଲି ଚାଲାଣ କରୁଥିବାବେଳେ ଧର୍ମକୁ ଆଖିଠାର ନ୍ୟାୟରେ ପ୍ରଶାସନ ଚଢ଼ାଉ କରୁଛି। ଅନେକ ସମୟରେ ପୁଲିସ ଓ ତହସିଲ କର୍ମଚାରୀଙ୍କଠାରୁ ଆଗୁଆ ସୂଚନା ପାଇ ବାଲିମାଫିଆମାନେ ଖସିଯାଉଥିବା ନଜିର ରହିଛି। ତେବେ ଭାଇରାଲ ଅଡିଓରେ ଭଣ୍ଡାରିପୋଖରୀ ଥାନା ଅଧିକାରୀ ଜଣେ ବ୍ୟକ୍ତିଙ୍କ ସହ ୩୮,୦୦୦ ଟଙ୍କା କାରବାର ସମ୍ପର୍କରେ କଥା ହେଉଥିବା ଏବଂ ଜଣେ ଆଗଧାଡ଼ିର ନେତାଙ୍କ ମଧ୍ୟସ୍ଥି ନେଇ ଆଲୋଚନା କରିଛନ୍ତି। ଥାନାର ଆଉ କେହି କର୍ମଚାରୀ ଏଥିରେ ଜଡ଼ିତ ରହି ଟଙ୍କା ଆଦାୟ କରିଛନ୍ତି କି ନାହିଁ ସେ ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣକ ବାଲି ମାଫିଆ କୁହାଯାଉଥିବାବେଳେ ଭାଇରାଲ ଅଡିଓର ସତ୍ୟତା ଏଯାଏ ସ୍ପଷ୍ଟ ହୋଇନାହିଁ। ଥାନା ଆଇଆଇସି ଶ୍ରୀ ସାହୁ ମଧ୍ୟ ଏହାକୁ ଅସ୍ବୀକାର କରିଛନ୍ତି। ତଦନ୍ତ ହେଲେ ପ୍ରକୃତ ଘଟଣା କଣ ସମସ୍ତେ ଜାଣିପାରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ତଦନ୍ତ ଚାଲୁ ରହିଥିବା ଏସ୍ଡିପିଓ ମନୋରଞ୍ଜନ ସାମଲ କହିଛନ୍ତି।
from ରାଜ୍ୟ – Sambad https://ift.tt/2Eno4uX
0 Comments