
ଭୁବନେଶ୍ବର : ଦୁଇ ସାଙ୍ଗଙ୍କ ଡାକରା ପାଇ ପହଞ୍ଚି ଯାଇଥିଲା ତୃତୀୟ ସାଙ୍ଗ। ରାଜଧାନୀ ଭୁବନେଶ୍ବରରୁ ଗାଡ଼ି ଧରି ପହଞ୍ଚି ଯାଇଥିଲେ ବାଲେଶ୍ବରରେ। ଦୁଇ ସାଙ୍ଗଙ୍କୁ ଧରି ଭୁବନେଶ୍ବର ଅଭିମୁଖେ ବାହାରିଥିଲେ। ଯାଜପୁରରୁ ଜଣେ ପଡ଼ୋଶୀ ମହିଳା ଓ ତାଙ୍କ ବୋହୂ ମଧ୍ୟ ସେହି ଗାଡ଼ିରେ ଆସିଥିଲେ। ଘରେ ପହଞ୍ଚିବାକୁ ଆଉ ମାତ୍ର ୧୦ ମିନିଟ୍ ଥିଲା। କିନ୍ତୁ ମର୍ମନ୍ତୁଦ ଦୁର୍ଘଟଣାରେ ଲିଭିଗଲା ୪ ଜୀବନ ଦୀପ। ଛାତିଥରା ଦୁର୍ଘଟଣାରେ ଚାଲିଗଲା ତିନି ସାଙ୍ଗଙ୍କ ଜୀବନ। ଖାଲି ସେତିକି ନୁହେଁ ପଡ଼ୋଶୀ ମହିଳାଙ୍କର ବି ମୃତ୍ୟୁ ହେଲା। କାଳରାତିର ଏହି ଦୁର୍ଘଟଣାକୁ ଆଖି ସାମ୍ନାରେ ଦେଖି ଅଚେତ ହୋଇ ପଡ଼ିଥିଲେ ମୃତ ମହିଳାଙ୍କ ବୋହୂ। ଅଳ୍ପକେ ବର୍ତି ଯାଇଥିବା ମହିଳାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ତଥା ମାଲିକ ଦେବସ୍ମିତ ପାଢ଼ୀଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତି କରାଯାଇଛି। ମୃତକମାନେ ହେଲେ ଜଗତସିଂହପୁର କୋର୍ତଳ ଅଞ୍ଚଳର ବରଦା ପ୍ରସାଦ ପରିଡ଼ା(୩୬), ଭଦ୍ରକ ଗଜିରପୁର ଅଞ୍ଚଳର ଦେବବ୍ରତ ଦାସ(୩୬) ଓ ଚାନ୍ଦବାଲି ଅଞ୍ଚଳର ପ୍ରିୟରଂଜନ ଦାସ(୩୭), ଯାଜପୁର ଭୋଟକାର ଅଞ୍ଚଳର ସୁଭଦ୍ରା ଦାସ(୬୦)। ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇ ଯାଇଥିବା ମହିଳା ହେଲେ ସୁଭଦ୍ରାଙ୍କ ବୋହୂ ସଞ୍ଜୁଲତା। ଏମାନେ ସମସ୍ତେ ଚିହ୍ନା ପରିଚିତ ଏବଂ ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ଅଞ୍ଚଳରେ ରୁହନ୍ତି।
ପୁଲିସ ସୂଚନା ଅନୁସାରେ, ବରଦା ତାରିଣୀ ପ୍ରମୋଟର୍ସ ପ୍ରାଇଭେଟ ଲିମିଟେଡରେ ସେଲ୍ସ ମ୍ୟାନେଜର ଭାବେ କାମ କରନ୍ତି। ଗତକାଲି ଅଫିସ କାମରେ ବାଲେଶ୍ବର ଯାଇଥିଲେ। ବାଲେଶ୍ବର ଯିବା ସମ୍ପର୍କରେ ଜାଣିବା ପରେ ସୁଭଦ୍ରା ଓ ତାଙ୍କ ବୋହୂ ଯାଜପୁର ଭୋଟକାରରେ ନିଜ ଗାଁକୁ ଯିବାକୁ ବାହାରିଥିଲେ। ବରଦାଙ୍କ ସହ ଫେରିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା। ବରଦା ନିଜ ଗାଡ଼ି ହ୍ୟୁଣ୍ଡାଇ ଆଇ ଟେନ କାର(ଓଡି୩୩ୱାଇ-୩୬୪୯)ରେ ବାଲେଶ୍ବର ଅଭିମୁଖେ ବାହାରିଥିଲେ। ଯାଜପୁରରେ ସୁଭଦ୍ରା ଓ ତାଙ୍କ ବୋହୂ ସଞ୍ଜୁଲତାଙ୍କୁ ଛାଡ଼ିଥିଲେ। ବାଲେଶ୍ବରରେ କାମ ସାରିବା ପରେ ତାଙ୍କର ଦୁଇ ସାଙ୍ଗ ଦେବବ୍ରତ ଓ ପ୍ରିୟରଂଜନ ସାଙ୍ଗରେ ଆସିଥିଲେ। ଯାଜପୁରରୁ ସୁଭଦ୍ରା ଓ ସଞ୍ଜୁଲତା ମଧ୍ୟ ବସିଥିଲେ। ରାତି ପ୍ରାୟ ୩ଟାରେ ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ଦେଇ ନୀଳାଦ୍ରିବିହାର ଅଭିମୁଖେ ଆସୁଥିଲେ। ନାଲ୍କୋ ଛକ ନିକଟରେ କାର ଅତିକ୍ରମ କରୁଥିବା ବେଳେ ଚନ୍ଦ୍ରଶେଖରପୁରରୁ ଜୟଦେବ ବିହାର ଅଭିମୁଖେ ପ୍ରାୟ ୧୫୦ କିଲୋମିଟରରୁ ଅଧିକ ବେଗରେ ଆସୁଥିବା ହ୍ୟୁଣ୍ଡାଇ କ୍ରେଟା କାର(ଓଡି୦୨ଏଏ-୮୧୦୦) ଧକ୍କା ଦେଇଥିଲା। ଦୁର୍ଘଟଣାରେ ତୀବ୍ରତା ଏତେ ଥିଲା ଯେ ପ୍ରଚଣ୍ଡ ଶବ୍ଦରେ ପୂରା ଅଞ୍ଚଳ ଫାଟି ପଡ଼ିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ଜଣେ ଓଲା କାର ଡ୍ରାଇଭର କହିଛନ୍ତି। ଗାଡ଼ି ଚୂରମାର୍ ହୋଇ ଯାଇଥିଲା। ଖବର ପାଇ ପିସିଆର୍ ଭ୍ୟାନ୍ ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ୪ ଜଣଙ୍କୁ ମୃତ ଘୋଷଣା କରା ଯାଇଥିଲା। ସଞ୍ଜୁଲତା ଓ ଦୁର୍ଘଟଣା ଘଟାଇଥିବା ଗାଡ଼ି ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ଏକ ହସ୍ପିଟାଲରେ ଭର୍ତି କରା ଯାଇଥିଲା। କ୍ରେଟା କାରରୁ ମଦ ବୋତଲ ସହ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରା ଯାଇଥିଲା। ଘଟଣାକୁ ନେଇ ନୀଳାଦ୍ରିବିହାର, କ୍ୟାପିଟାଲ ହସ୍ପିଟାଲ ଓ ବରଦାଙ୍କ ଗାଁ କୋର୍ତଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଚନ୍ଦ୍ରଶେଖରପୁର ଥାନା ପୁଲିସ ଏ ସଂକ୍ରାନ୍ତରେ ଆଇପିସି ଦଫା-୨୭୯, ୩୩୭, ୩୩୮, ୩୦୪(ଏ)ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। କ୍ରେଟା ଚାଳକ ଦେବସ୍ମିତ ପାଢ଼ୀଙ୍କର ଦୋଷତ୍ରୁଟି ରହିଥିବା ପୁଲିସ ଜାଣିବାକୁ ପାଇଛି। ଦ୍ରୁତ ଗତିରେ ବେପରୁଆ ଗାଡ଼ି ଚଳାଇବାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି କୁହାଯାଇଛି। ରାତିରେ ଟ୍ରାଫିକ ପୁଲିସ ପକ୍ଷରୁ ମଧ୍ୟ କୌଣସି ସତର୍କତା ଅବଲମ୍ବନ କରାଯାଉ ନ ଥିବାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହେଉଛି।
from ରାଜ୍ୟ – Sambad https://ift.tt/2D4iVqX
0 Comments