କରୋନା ଦୁର୍ଦ୍ଦଶା : ଝିଅର ଶବ ଛାଡ଼ି ପଳାଇଲା ମା’

କଟକ : ଚିକିତ୍ସା ପାଇଁ ଧାଇଁ ଆସିଥିଲେ ସମ୍ବଲପୁରରୁ କଟକ। ହେଲେ କଟକରେ କରୋନା କାବୁ କରିନେଲା। କର୍କଟ ଆକ୍ରାନ୍ତ ଝିଅ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ସାଙ୍ଗରେ ଆସିଥିବା ମା’ ଝିଅର ଶବକୁ ଛାଡ଼ି ପଳାଇ ଯାଇଛନ୍ତି। ମୃତଦେହର କେହି ଦାବିଦାର ନାହାନ୍ତି। ଏହାକୁ ନେଇ ଏକ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣା ସଂପର୍କରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପକ୍ଷରୁ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି। କିନ୍ତୁ ମେଡିକାଲରୁ ପଳାଇ ଯାଇଥିବା ମା’ର ସଂକ୍ରମଣ ସ୍ଥିତିକୁ ନେଇ ଏବେ ଉଦ୍‌ବେଗ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ସମ୍ବଲପୁରରୁ ୧୨ଦିନ ତଳେ ୩୦ ବର୍ଷର ଝିଅକୁ ଧରି ମା’ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। ଝିଅର ଚିକିତ୍ସା ଚାଲିଥିବାବେଳେ ଦିନକୁ ଦିନ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତରଙ୍କ ସନ୍ଦେହ ହେବାରୁ ଝିଅର ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ଶେଷରେ ଗତକାଲି ରାତିରେ ଝିଅର ମୃତ୍ୟୁ ଘଟିଥିଲା। ଏଭଳି ସ୍ଥିତିରେ ମା’ ବି ଝିଅର ମୃତଦେହ ଛାଡ଼ି ମେଡିକାଲରୁ ପଳାଇ ଯାଇଥିଲା। ଏବେ ମୃତ ଯୁବତୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଏହାକୁ ନେଇ ସମସ୍ୟା ଉପୁଜିଛି। କେହି ଦାବିଦାର ନଥିବାରୁ ଶବ ସତ୍କାରରେ ବି ଅଚଳାବସ୍ଥା ସୃଷ୍ଟି ହୋଇଛି। କର୍କଟ କେନ୍ଦ୍ର ପକ୍ଷରୁ ଘଟଣା ସଂପର୍କରେ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି।



from ରାଜ୍ୟ – Sambad https://ift.tt/2Emmr0m

Post a Comment

0 Comments