କଟକରେ ଜନ୍ମଗ୍ରହଣ କରିଥିବା ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି କରୋନା ଆକ୍ରାନ୍ତ

ଜୟପୁର: ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍ ମହାନ୍ତି କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସ୍ବାବ ନମୁନା ରିପୋର୍ଟ ପଜିଟିଭ୍ ଆସିଛି। ଏ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶନିବାର ଦିନ ଏକ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟ୍ ଟୁଇଟ୍ କରି ଲେଖିଛନ୍ତି, “ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍ ମହାନ୍ତି କୋଭିଡ-୧୯ ଦ୍ବାରା ଆକ୍ରାନ୍ତ ହୋଇଥିବା ନେଇ ମୁଁ ଜାଣିବାକୁ ପାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମୁଁ ଚିନ୍ତିତ। ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି।” ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍ ମହାନ୍ତି ନଭେମ୍ବର ୧୧, ୧୯୬୦ରେ କଟକରେ ଜନ୍ମଗ୍ରହଣ କରିଥିଲେ। ରାଜସ୍ଥାନ ପୂର୍ବରୁ ସେ ଓଡ଼ିଶା ଏବଂ ବମ୍ବେ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି।

ସୂଚନା ମୁତାବକ, ମାରାତ୍ମକ ଭୂତାଣୁ ପାଇଁ ହାଇକୋର୍ଟର ପାଞ୍ଚ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେବାର ଗୋଟିଏ ଦିନ ପରେ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍ ମହାନ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି। ଶନିବାର ଦିନ ଜଷ୍ଟିସ ମହାନ୍ତି କୋର୍ଟରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ବିଚାରପତି, ନ୍ୟାୟିକ ଅଧିକାରୀ ଏବଂ ପ୍ରାୟ ୧୦୦ଜଣ ଓକିଲ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ  ଉପସ୍ଥିତ ଥିବା ଲୋକଙ୍କୁ ରବିବାର ଦିନ ନିଜର ସ୍ବାବ ନମୁନା ପରୀକ୍ଷା କରିବାକୁ ଅଧିକାରୀମାନେ ଅନୁରୋଧ କରିଛନ୍ତି। ପରୀକ୍ଷା କରିବା ପାଇଁ ଏକ ଡାକ୍ତରୀ ଦଳ ରାଜସ୍ଥାନ ହାଇକୋର୍ଟ ବାର କାର୍ଯ୍ୟାଳୟ ଯିବେ।



from ରାଜ୍ୟ – Sambad https://ift.tt/3g3fled

Post a Comment

0 Comments